
ଜୟପୁର, ୦୯ ଅଗଷ୍ଟ (ହି.ସ.) - ରକ୍ତଦାନ କଲେ ଓଡ଼ିଶା ଡ୍ରାଇଭର ମହାସଂଘ ତଥା ବୈପାରିଗୁଡ଼ା ବ୍ଲକ ସଦର ମହକୁମାର ଡ୍ରାଇଭର ଦୁର୍ଯ୍ୟୋଧନ ଗୋଲରି। ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ଗ୍ରାମର ଶଙ୍କର ଦାସ ଅସୁସ୍ଥ ହୋଇପଡ଼ିଥିଲେ। ବୈପାରିଗୁଡାରେ ଚିକିତ୍ସା ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜୟପୁର ମେଡିକାଲରେ ଭର୍ତି କରାଯାଇଥିଲା। ଚିକିତ୍ସା ସମୟରେ ଶଙ୍କର ଦାସଙ୍କ ପାଇଁ ରକ୍ତର ଆବଶ୍ୟକତା ପଡ଼ିଥିଲା।ଏହି ଖବର ଓଡ଼ିଶା ଡ୍ରାଇଭର ମହାସଂଘ, ବୈପାରିଗୁଡ଼ା ବ୍ଲକର ସଦସ୍ୟମାନେ ଜାଣିବା ପରେ ତୁରନ୍ତ ସହଯୋଗର ହାତ ବଢ଼ାଇଥିଲେ।
ମହାସଂଘର ସଦସ୍ୟ ଦୁର୍ଯ୍ୟୋଧନ ଗୋଲରି କୌଣସି ଦ୍ୱିଧା ନକରି ମେଡିକାଲରେ ପହଂଚି ରକ୍ତଦାନ କରିଥିଲେ। ତାଙ୍କର ଏହି ମହତ୍ କାର୍ଯ୍ୟ ଜଣେ ଅସୁସ୍ଥ ରୋଗୀଙ୍କ ପାଇଁ ଆଶାର କିରଣ ସାଜିଥିଲା। ରକ୍ତଦାନ କରି ଦୁର୍ଯ୍ୟୋଧନ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପରବର୍ତୀ ସମୟରେ ଶଙ୍କର ଦାସଙ୍କ ସ୍ୱାସ୍ଥ୍ୟ ଅଧିକ ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ରେଫର୍ କରାଯାଇଥିଲା। ସେଠାରେ ମଧ୍ୟ ରକ୍ତ ଓ ପ୍ଲେଟଲେଟ୍ର ଆବଶ୍ୟକତା ଦେଖାଦେଇଥିଲା। ଏହି ସମୟରେ ଓଡ଼ିଶା ଡ୍ରାଇଭର ମହାସଂଘ, ବୈପାରିଗୁଡ଼ା ବ୍ଲକର ଉପସଭାପତି ନାନୁ ଭାଇ ଆଗକୁ ଆସି ଦୁଇଟି ପ୍ଲେଟଲେଟର ବ୍ୟବସ୍ଥା କରିଥିଲେ। ଏଥିସହିତ ରୋଗୀ ଓ ପରିବାରକୁ ଆବଶ୍ୟକ ସହଯୋଗ ଯୋଗାଇ ଦେଇଥିଲେ। ଓଡ଼ିଶା ଡ୍ରାଇଭର ମହାସଂଘ, ବୈପାରିଗୁଡ଼ା ବ୍ଲକର ଏଭଳି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଇଛି। ଜାତି, ଧର୍ମ, ଓ ପରିଚୟର ଊର୍ଦ୍ଧ୍ୱରେ ରହି ଅସୁବିଧାରେ ପଡ଼ିଥିବା ଜଣେ ମଣିଷକୁ ସହଯୋଗ କରିବା ହିଁ ପ୍ରକୃତ ମାନବିକତା ବୋଲି ଏହି ଘଟଣା ପ୍ରମାଣ କରିଛି। ରକ୍ତଦାନ ଓ ଜରୁରୀ ସମୟରେ ସହଯୋଗ ଯୋଗାଇ ଦେଇଥିବା ଦୁର୍ଯ୍ୟୋଧନ ଗୋଲରି, ନାନୁ ଭାଇ ଏବଂ ସମଗ୍ର ଓଡ଼ିଶା ଡ୍ରାଇଭର ମହାସଂଘ, ବୈପାରିଗୁଡ଼ା ବ୍ଲକର ସଦସ୍ୟମାନଙ୍କୁ ସ୍ଥାନୀୟ ଲୋକେ ସାଧୁବାଦ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି