
ଖୋର୍ଦ୍ଧା, ୦୯ ଅଗଷ୍ଟ (ହି.ସ.) - ମଦ ନିଶା ଓ ନିଶାଡ଼ିଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ଘଟିବାରେ ଲାଗିଛି।ଯାହା ସହର ଠାରୁ ଗ୍ରାମ୍ୟ ଜୀବନକୁ କଳୁଷିତ କରିଚାଲିଛି। କେତେକ ମୁଷ୍ଟିମେୟ ବ୍ୟକ୍ତି ଲୁଚାଛପାରେ ବାହାରୁ ଦେଶୀ ମଦ ଆଣି ଗାଁ ଗହଳରେ ଯୁବ ବର୍ଗଙ୍କୁ ମଦୁଆ କରି ଭଲ ଭାବରେ ଦୁଇ ପଇସା ସହଜ ଉପାୟରେ ରୋଜଗାର କରିବାରେ ଲାଗିଛନ୍ତି। ଗାଁ ଗଣ୍ଡାରେ ଏହାର ପ୍ରାଦୁର୍ଭାବ ଦ୍ୱାରା ରାତି ହେଲେ ତାଟି କବାଟ ପଡିଯାଉଛି।ଏହାର ବାରଣ ପାଇଁ ମଦୁଆମାନଙ୍କ ଭୟରେ ଅଂଚଳ ବାସୀ ସ୍ୱର ଉତୋଳନ ପାଇଁ ସାହସ କରି ପାରୁନାହାନ୍ତି।ଏହାର ପ୍ରତିକାର ପାଇଁ ମିଳିତ ନିଶା ନିବାରଣ ଭୁବନେଶ୍ୱରର ସଭାପତି ତଥା ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର, ଉପ ସଭାପତି ଗୀତାଞ୍ଜଳୀ ସ୍ୱାଇଁ, ସାଙ୍ଗଠନିକ ସମ୍ପାଦକ ଅରୁଣ କୁମାର ସ୍ୱାଇଁ ଧଉଳି ସ୍ୱୟଂ ସହାୟତା ଗୋଷ୍ଠୀରେ ଯୋଗ ଦେଇଥିଲେ। ବନିତା ମଲ୍ଲିକଙ୍କ ଦ୍ୱାରା ଧଉଳି ସ୍ୱୟଂ ସହାୟତା ଗୋଷ୍ଠୀର କାର୍ଯ୍ୟକଳାପ ଅତି ଉଚ୍ଚ କୋଟିର ହେବା ସହିତ ଆଦର୍ଶ ଗୋଷ୍ଠୀ ହିସାବରେ ଜନ ମାନସରେ ସ୍ଥାନ ପାଇଛି। ଏଥିରେ ଶ୍ରୀମତୀ ମଲ୍ଲିକଙ୍କ ସହିତ କୌଶଲ୍ୟା ବରାଳ, ବୀଣାପାଣି ସ୍ୱାଇଁ, ଚିନ୍ମୟୀ ବେହେରା, ସୁବାସିନୀ ପ୍ରଧାନ ଓ ଅନ୍ୟାନ୍ୟ ଅନ୍ତର୍ଭୁକ୍ତ।
ଅଗଷ୍ଟ ନଅ ,କ୍ରାନ୍ତି ଦିବସ ପାଳନ କରାଯାଇ ଏ ଅଂଚଳରୁ ମଦ ନିଶା ସହ ଅନ୍ୟାନ୍ୟ ନିଶାର ହଟାଇବା ପାଇଁ ସପଥପାଠ କରାଯାଇଥିଲା। ଏ ଅଂଚଳରେ ମଦ ବେପାର କରୁଥିବା ବ୍ୟକ୍ତି ସୁଧୁରି ଯିବାକୁ ଶ୍ରୀ ମିଶ୍ର ସଭାରେ ଅନୁରୋଧ କରିଥିଲେ। ନଚେତ୍ ଆଗାମୀ ଦିନରେ ଏବାବଦରେ ପୋଲିସମାନଙ୍କ ସହାୟତା ନିଆଯିବ ଓ ଅନ୍ୟ ସ୍ୱୟଂ ସହାୟତା ଗୋଷ୍ଠୀ ତଥା ଜନସାଧାରଣଙ୍କୁ ମଦ ହଟାଅ ଦେଶ ବଂଚାଅ କାର୍ଯ୍ୟରେ ସାମିଲ କରି ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମିଶ୍ରଙ୍କ ସହିତ ଶ୍ରୀ ସ୍ୱାଇଁ ମତ ପ୍ରକାଶ କରିଥିଲେ। ବନବାସୀନୀ ମଲ୍ଲିକ ଯୋଗଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରାକେଶ