
ଖୋର୍ଦ୍ଧା, 09 ଅଗଷ୍ଟ (ହି.ସ.) - ପୌରାଞ୍ଚଳ ଅନ୍ତର୍ଗତ ୧୬ନଂ, ୧୭ନଂ, ୧୮ନଂ ଓ ୧୯ନଂ ଓ୍ବାର୍ଡରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 'ସମ୍ପର୍କ ଯାତ୍ରା' ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ପର୍କ ଯାତ୍ରାରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲା ସଭାପତି ରଶ୍ମୀ ମହାପାତ୍ର, ଜିଲ୍ଲା ଉପସଭାପତି ପ୍ରଫୁଲ ଦଳେଇ, ସାଂସଦଙ୍କ ପ୍ରତିନିଧି ଦିଲ୍ଲୀପ ହୋତା, ବିଭୁ ବଳିୟାରସିଂ, ବାସନ୍ତୀ ମହାପାତ୍ର, କୁନିଲତା ସ୍ୱାଇଁ, ବିଦ୍ୟୁତ୍ କାଣ୍ଡିଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ । ବିଶେଷ କରି ୪ଟି ଓ୍ବାର୍ଡର ଏକ ହଜାରରୁ ଉର୍ଦ୍ଧ୍ବ ମହିଳା ସମ୍ପର୍କ ଯାତ୍ରାରେ ଯୋଗଦେଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଜଗଦେବ ଗୁରୁଜଙ୍ଗ ଗ୍ରାମରେ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଚିଠା ରଖିଥିଲେ । ଏଥିସହ ଆଗାମୀ ଦିନରେ ଗୁରୁଜଙ୍ଗ ଗ୍ରାମରେ ମାର୍କେଟ କମ୍ପ୍ଲେକ୍ସ, ସାଇନ୍ସ ପାର୍କ, କଲ୍ୟାଣ ମଣ୍ଡପ ଭଳି ଅନେକ ଗୁଡ଼ିଏ ପ୍ରୋଜେକ୍ଟ ହେବାକୁ ଯାଉଛି ବୋଲି କହିଥିଲେ । ବିଶେଷ କରି ମଶାଣୀର ଉନ୍ନତି କରଣ ପାଇଁ ୫୦ ଲକ୍ଷ ଟଙ୍କାର ମଞ୍ଜୁର କରାଯାଇଥିବା ଓ ଯୁବ କ୍ରୀଡାବିତ ପାଇଁ ଉଦ୍ଦିଷ୍ଟ ଖେଳ ପଡିଆକୁ ଏକ ଉନ୍ନତ ମାନର ଷ୍ଟାଡିୟମ ଭାବେ ନିର୍ମାଣ କରିବା କଥା କହିଥିଲେ । ଏହି ଅବସରରେ କିଛି ବରିଷ୍ଠ ନାଗରିକ ଓ ମହିଳାମାନେ ଏହି ୪ଟି ଓ୍ବାର୍ଡର ବିଭିନ୍ନ ସାମୁହିକ ସମସ୍ୟା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିକଟରେ ରଖିଥିଲେ । ଶ୍ରୀମତୀ ଷଡ଼ଙ୍ଗୀ ସାଧାରଣ ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ଖୁବଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ବର୍ଷା ପାଇଁ ସତ୍ବେ ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଦେଖି ସାଂସଦ ଗୁରୁଜଙ୍ଗ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ