
ମାଲକାନଗିରି, ୦୯ ଅଗଷ୍ଟ(ହି.ସ.) – ମାଲକାନଗିରି ଜିଲ୍ଲା ସଦର ମହକୁମାରେ ରବିବାର ବିଶ୍ୱ ଆଦିବାସୀ ଦିବସ ଉତ୍ସାହ ଓ ଆଡମ୍ବରରେ ପାଳିତ ହୋଇଯାଇଛି। ଜିଲ୍ଲା ଆଦିବାସୀ ସମାଜ ମହାସଂଘ ସମେତ ବିଭିନ୍ନ ଆଦିବାସୀ ସଂଘ ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା। ମିଳିତ ଜାତିସଂଘର ନିଷ୍ପତିକ୍ରମେ ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ବିଶ୍ୱ ମୂଳନିବାସୀ ଦିବସ ବା ବିଶ୍ୱ ଆଦିବାସୀ ଦିବସ ଭାବେ ପାଳନ କରାଯାଇଆସୁଛି। ଆଦିବାସୀ ସମାଜର ଭାଷା, ସଂସ୍କୃତି, ପରମ୍ପରା, ଅଧିକାର ଓ ସାମାଜିକ ସ୍ୱାର୍ଥ ପ୍ରତି ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ଜିଲ୍ଲା ସଦର ମହକୁମାରେ ବିଭିନ୍ନ ଆଦିବାସୀ ସମାଜର ଲୋକେ ପାରମ୍ପରିକ ବେଶଭୂଷାରେ ଏକତ୍ରିତ ହୋଇଥିଲେ। ପ୍ରଥମେ ମାଲକାନଗିରି ବସଷ୍ଟାଣ୍ଡ ପରିସରରେ ଥିବା ବାବା ସାହେବ ଡ. ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତିରେ ସମସ୍ତେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଡିଏନକେ ଖେଳପଡ଼ିଆରେ ପହଂଚିଥିଲେ। ସେଠାରେ ବିଭିନ୍ନ ଆଦିବାସୀ ସମାଜ ପକ୍ଷରୁ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କୋୟା ସମାଜ ନୃତ୍ୟ, ସାନ୍ତାଳୀ ସମାଜ ନୃତ୍ୟ, ବଣ୍ଡା ସମାଜ ନୃତ୍ୟ, ଡିଡାୟୀ ସମାଜ ନୃତ୍ୟ ସମେତ ବିଭିନ୍ନ ଜନଜାତିର ପାରମ୍ପରିକ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ଏହି କାର୍ଯ୍ୟକ୍ରମରେ ବଣ୍ଡା, ଡିଡାୟୀ, କୋୟା, ପରଜା, ଦୁରୁଆ ସମେତ ୩୨ଟି ଜନଜାତିର ତଥା ୧୫ଟି ଆଦିବାସୀ ସମାଜର ବହୁ ସଂଖ୍ୟକ ଲୋକ ଯୋଗଦେଇଥିଲେ। ଆଦିବାସୀ ଭାଷା, ସଂସ୍କୃତି, ପରମ୍ପରା, ରୀତିନୀତି, ଇତିହାସ ଓ ଅଧିକାରର ସୁରକ୍ଷା ପାଇଁ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ନେଇ ଉପସ୍ଥିତ ସମସ୍ତେ ମତ ପ୍ରକାଶ କରିଥିଲେ।
ଏହି ଅବସରରେ ଜିଲ୍ଲାର ଆଦିବାସୀ ସମାଜର ବିଭିନ୍ନ ଦାବି ମଧ୍ୟ ଉପସ୍ଥାପନ କରାଯାଇଥିଲା। ବିଶେଷକରି ଜଙ୍ଗଲ ଜମିର ଗୋଷ୍ଠୀଗତ ଓ ବ୍ୟକ୍ତିଗତ ପଟ୍ଟା ବଂଟନ ଦିଗରେ ପୂର୍ବରୁ ରହିଥିବା ଦାବି ଅନୁଯାୟୀ ଅନେକ ପଟ୍ଟା ବଣ୍ଟନ ହୋଇଥିବାବେଳେ ଆହୁରି ପ୍ରାୟ ୪୦୦ଟି ପଟ୍ଟା ପ୍ରଦାନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଅପିଲ କରାଯାଇଥିଲା। କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ଆଦିବାସୀ ସମାଜ ମହାସଂଘର ସଭାପତି ବନ୍ଧୁ ମୁଦୁଲି, ସମ୍ପାଦକ ଦେବେନ୍ଦ୍ରନାଥ ଖିଲ, ପୂର୍ବତନ ବିଧାୟକ ମାନସ ମାଡକାମୀ, ଆଡମା ରାବା, ଅନେକ ପ୍ରଶାସନିକ ଅଧିକାରୀଙ୍କ ସମେତ ବହୁ ନେତୃମଣ୍ଡଳୀ ଓ ଆଦିବାସୀ ସମାଜର ପ୍ରତିନିଧି ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ