
ମାଲକାନଗିରି, ୧ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ଚଢ଼ାଉ କରିଏକ ମେକ୍ସ ପିକଅପ ଗାଡ଼ିରୁ ୭୫୦ କେଜି ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୩ କୋଟି ୭ ୫ ଲକ୍ଷ ଟଙ୍କା ହେବ । ଏଥିସହ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ପାପରମେଟଲା ଗାଁ ନିକଟରୁ ଏକ ଧଳା ମେକ୍ସ ପିକ୍ ଅପ୍ ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା।ଏହି ସୂଚନା ପାଇବା ପରେ ପୋଲିସ ଗାଡ଼ିକୁ ଧରିବା ପାଇଁ ଯାଇଥିବା ବେଳେ ବଡ଼ପଦର ଶିବ ମନ୍ଦିର ନିକଟରେ ପୁଲିସକୁ ଦେଖି ଗାଡ଼ି ଛାଡ଼ି ଚାଲାଣକାରୀ ଫେରାର ହୋଇଯାଇଥିଲେ । ପରେ ଘଟଣାସ୍ଥଳରୁ ଗଞ୍ଜେଇ ସହ ଏକ ପିକ୍ ଅପ୍ ଜବତ କରିଛି ପୁଲିସ। ଫେରାର ଚାଲାଣକାରୀଙ୍କୁ ଧରିବାକୁ ତଦନ୍ତ ଜାରି ରହିଛି। ତେବେ ଗଞ୍ଜେଇ ଚାଲାଣ ପଛରେ ଥିବା ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାରୁ ତାକୁ ଅଜଣା ଭାବେ ଦର୍ଶାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କେହି ଗିରଫ ହୋଇନାହାନ୍ତି । ଏହି ବିପୁଳ ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।ପ୍ରକାଶ ଥାଉକି ଗତ ଦୁଇ ଦିନ ତଳେ ଅବକାରୀ ବିଭାଗ ପକ୍ଷରୁ ସ୍ୱାଭିମାନ ଅଞ୍ଚଳ ର ଧୂଳିପୁଟ ରୁ ୪୦୦କେଜି ପ୍ରାୟ ୪୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଥିଲା!
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ