
କେନ୍ଦ୍ରାପଡ଼ା, ୦୧ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ବାରୋସ୍ଥିତ ମିଶନ୍ ଶକ୍ତି ସମ୍ମିଳନୀ କକ୍ଷଠାରେ ପିଏମ୍ ବିଶ୍ୱକର୍ମା ଯୋଜନା, ଇ-କମର୍ସ ଓ ମାର୍କେଟିଂ ରଣନୀତି ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି। ଏମ୍ଏସ୍ଏମ୍ଇ-ଡିଏଫ୍ଓ, କଟକ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କାରିଗର, ଉଦ୍ୟୋଗୀ ଓ ମିଶନ୍ ଶକ୍ତି ସଦସ୍ୟମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ଜିଲ୍ଲାପାଳ ରଘୁରାମ ଆର୍. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାରିଗର ଓ ଉଦ୍ୟୋଗୀମାନେ ନିଜ ଦକ୍ଷତା ଓ ଉତ୍ପାଦକୁ ଆଧୁନିକ ବଜାର ସହ ଯୋଡ଼ିବା ସହିତ ଡିଜିଟାଲ୍ ମାଧ୍ୟମ ଓ ଇ-କମର୍ସର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ସେ ଉଦ୍ୟମିତାର ବିକାଶ ଓ ନୂତନ ବଜାର ସୁଯୋଗର ସଦୁପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ପ୍ରଦୀପ କୁମାର ସାହୁ, କଟକର ଯୁଗ୍ମ ନିର୍ଦ୍ଦେଶିକା ନୀତିଶା ମନ, ସହକାରୀ ନିର୍ଦ୍ଦେଶକ ଦିବାକର, ରମାକାନ୍ତ ମାଝୀ, ଟିମ୍ ଲିଡର ସୌଭାଗ୍ୟ ରଞ୍ଜନ ମଲ୍ଲିକ, ମିଶନ୍ ଶକ୍ତି ଆରତୀ ସାହୁଙ୍କ ସମେତ ମାଷ୍ଟର ଟ୍ରେନର୍ମାନେ ଉପସ୍ଥିତ ଥିଲେ। କାଙ୍ର୍କ୍ୟକ୍ରମରେ ପ୍ରାୟ ୧୩୦ ଜଣ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ। ପିଏମ୍ ବିଶ୍ୱକର୍ମା ଯୋଜନାର ବିଭିନ୍ନ ସୁବିଧା, ଇ-କମର୍ସ ମାଧ୍ୟମରେ ଉତ୍ପାଦ ବିକ୍ରୟ, ବ୍ୟବସାୟର ସମ୍ପ୍ରସାରଣ, ମାର୍କେଟିଂ ରଣନୀତି ଏବଂ ଡିଜିଟାଲ୍ ବଜାର ସହ ଯୋଡ଼ିହେବାର ସୁଯୋଗ ସମ୍ପର୍କରେ ମାଷ୍ଟର ଟ୍ରେନରମାନେ ବିସ୍ତୃତ ଭାବେ ସଚେତନ କରିଥିଲେ।
ସ୍ଥାନୀୟ କାରିଗର ଓ ଉଦ୍ୟୋଗୀମାନେ ନିଜ ଉତ୍ପାଦର ଗୁଣବତା ବୃଦ୍ଧି ସହିତ ଡିଜିଟାଲ୍ ମାର୍କେଟିଂ ଓ ଇ-କମର୍ସ ପ୍ଲାଟଫର୍ମର ସୁଯୋଗ ନେଇ ଅଧିକ ବଜାର ସୃଷ୍ଟି କରିବା ଏବଂ ଆୟ ବୃଦ୍ଧି କରିବା ଦିଗରେ ଏହି କାର୍ୟ୍ୟକ୍ରମ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି