ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର
Awareness programme on women
ଜିଲ୍ଲାସ୍ତରୀୟ ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ


ଝାରସୁଗୁଡ଼ା, 01 ସେପ୍ଟେମ୍ବର (ହି.ସ.) ଘରୋଇ ହିଂସାର ଶିକାର ହେଉଥିବା ମହିଳାମାନଙ୍କୁ ଆଇନଗତ ସୁରକ୍ଷା, ନ୍ୟାୟିକ ଅଧିକାର ତଥା ଉପଲବ୍ଧ ସରକାରୀ ସହାୟତା ବ୍ୟବସ୍ଥା ସମ୍ପର୍କରେ ସଚେତନତା ଓ ଦକ୍ଷତା ବୃଦ୍ଧି ନିମନ୍ତେ ‘ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ, ୨୦୦୫’ ଉପରେ ଏକ ଏକଦିବସୀୟ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ଡିଏମ୍ଏଫ୍ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗର ତତ୍ତ୍ୱାବଧାନ ତଥା ମହିଳା ସଶକ୍ତୀକରଣ ଜିଲ୍ଲା କେନ୍ଦ୍ର ପକ୍ଷରୁ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ ସେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବିଧିବଦ୍ଧ ଭାବେ ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ-ତଥା-ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭିକ୍ଟୋରିଆ ଏକ୍କା ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ। ଘରୋଇ କଳହ ତଥା ହିଂସାର ଶିକାର ହେଉଥିବା ମହିଳାମାନଙ୍କୁ ଉପଯୁକ୍ତ ସମୟରେ ଆଇନଗତ ସହାୟତା ଓ ଥଇଥାନ ସୁବିଧା ଯୋଗାଇଦେବା ପାଇଁ ପ୍ରଶାସନ, ପୋଲିସ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଏକାନ୍ତ ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ସମ୍ବଳ ବ୍ୟକ୍ତି ଭାବେ ସ୍ୱେଚ୍ଛାସେବୀ ସଂଗଠନ 'ସେହେଡା ର ନିର୍ଦ୍ଦେଶିକା ଆନନ୍ଦିନୀ ପାଢ଼ୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆଇନ ପରାମର୍ଶଦାତା ସାଜଦା ବେଗମ ଏବଂ ପୋଲିସ ବିଭାଗ ତରଫରୁ ହେମାଙ୍ଗିନୀ ଗର୍ତ୍ତିଆ ଯୋଗଦେଇ ଆଇନଗତ ଦିଗଗୁଡ଼ିକ ଉପରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ୨୦୦୫ ଆଇନର ଲକ୍ଷ୍ୟ, ସୁରକ୍ଷା ଅଧିକାରୀ, ପୋଲିସ, ସେବା ଯୋଗାଣକାରୀ ସଂସ୍ଥା, ୱାନ୍ ଷ୍ଟପ୍ ସେଣ୍ଟର, ଶକ୍ତି ସଦନ ଓ ଆଶ୍ରୟ ଗୃହ ମଧ୍ୟରେ ଥିବା କାର୍ଯ୍ୟଧାରା ସମ୍ପର୍କରେ ତଥ୍ୟ ରଖାଯାଇଥିଲା। ସମ୍ବଳ ବ୍ୟକ୍ତି ଆନନ୍ଦିନୀ ପାଢ଼ୀ ପାୱାରପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଘରୋଇ ଘଟଣା ରିପୋର୍ଟ ପ୍ରସ୍ତୁତି ପ୍ରଣାଳୀ, କୋର୍ଟଙ୍କ ବିଭିନ୍ନ ନିର୍ଦ୍ଦେଶନାମା, କ୍ଷତିପୂରଣ ଏବଂ ଆଇନଗତ ସୁବିଧା ବିଷୟରେ ବ୍ୟବହାରିକ ଧାରଣା ଦେଇଥିଲେ। ଏଥିସହ କେସ୍ ଷ୍ଟଡି ଆଲୋଚନା ଓ ପ୍ରଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରି ଡିଆଇଆର ଡ୍ରାଫ୍ଟିଂ ଓ ସୁରକ୍ଷା ଯୋଜନା ପ୍ରସ୍ତୁତି ଉପରେ ଗ୍ରୁପ୍ ଅଭ୍ୟାସ କରାଯାଇଥିଲା। ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ଆଇସିଡିଏସ୍ ପ୍ରକଳ୍ପର ସିଡିପିଓ, ଲେଡି ସୁପରଭାଇଜର, ଡିଏଲ୍ଏଫ୍ ଓ ବିଏଲ୍ଏଫର କର୍ମକର୍ତ୍ତା, ୱାନ୍ ଷ୍ଟପ୍ ସେଣ୍ଟର ଓ ଶକ୍ତି ସଦନର ପ୍ରତିନିଧି, ଡିଏଲ୍ଏସ୍ଏର ପାରା ଲିଗାଲ୍ ଭଲ୍ୟୁଣ୍ଟିୟର, ଅଙ୍ଗନୱାଡ଼ି କର୍ମୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଶେଷରେ ସୁରକ୍ଷା-ତଥା-ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande