ଧାନ ବିକ୍ରି ପଞ୍ଜିକରଣ ବେଳେ ଅଘଟଣ: ଚମ୍ପୁଆ ଲ୍ୟାମ୍ପସ ସମ୍ମୁଖରେ ଚାଷୀ ଚେତାଶୂନ୍ୟ, ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
ଚମ୍ପୁଆ , 01 ସେପ୍ଟେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଲ୍ୟାମ୍ପସ ପରିସରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବାକୁ ଆସି ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେବା ପରେ ଜଣେ ଚାଷୀ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଯାଇଛନ୍ତି। ଫଳରେ ଲ୍ୟାମ୍ପସ ପରିସରରେ
ବେହୋସ ଚାଷୀ


ଚମ୍ପୁଆ , 01 ସେପ୍ଟେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଲ୍ୟାମ୍ପସ ପରିସରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବାକୁ ଆସି ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେବା ପରେ ଜଣେ ଚାଷୀ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଯାଇଛନ୍ତି। ଫଳରେ ଲ୍ୟାମ୍ପସ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇବା ସହ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।ସୂଚନା ଅନୁଯାୟୀ, ଚମ୍ପୁଆ ବ୍ଲକ ବ୍ରହ୍ମପୁର ଗ୍ରାମର ଚାଷୀ ବଳରାମ ଗିରି ନିଜ ଧାନ ବିକ୍ରି ନିମନ୍ତେ ନାମ ପଞ୍ଜିକରଣ କରିବା ପାଇଁ ଗତ ତିନି ଦିନ ହେବ ଚମ୍ପୁଆ ଲ୍ୟାମ୍ପସକୁ ଦୌଡ଼ୁଥିଲେ। ପ୍ରତିଦିନ ସକାଳୁ ଆସି ଲାଇନରେ ଛିଡ଼ା ହେବା ଏବଂ ବିଳମ୍ବିତ ରାତିରେ ଘରକୁ ଫେରିବା ଯୋଗୁଁ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା। ତେବେ ନାମ ପଞ୍ଜିକରଣ ପାଇଁ ଆଖି ସ୍କାନ ବାଧ୍ୟତାମୂଳକ ଥିବାରୁ, ସେ ଅସୁସ୍ଥତା ସତ୍ତ୍ୱେ ଆଜି ସକାଳୁ ପୁଣି ଲ୍ୟାମ୍ପସକୁ ଆସି ଧାଡ଼ିରେ ଛିଡ଼ା ହୋଇଥିଲେ। ମାତ୍ର କ୍ଲାନ୍ତି ଓ ଅସୁସ୍ଥତା ଅସହ୍ୟ ହେବାରୁ ସେ ହଠାତ୍ ସେଠାରେ ଅଚେତ ହୋଇ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଚାଷୀମାନେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହି ଘଟଣା ପରେ ଲ୍ୟାମ୍ପସରେ ଉପସ୍ଥିତ ଥିବା ଶହ ଶହ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଦୈନିକ ଶହ ଶହ ଚାଷୀ ରାତି ଅଧାରୁ ଆସି ଲ୍ୟାମ୍ପସ ସମ୍ମୁଖରେ ଭିଡ଼ ଜମାଉଛନ୍ତି ଏବଂ ବହୁ ଚାଷୀ ପ୍ରତିଦିନ ଲ୍ୟାମ୍ପସ ବାରଣ୍ଡାରେ ରାତି କଟାଉଛନ୍ତି। ଯଦିଓ ଆଜିଠାରୁ ସରକାର ନାମ ପଞ୍ଜିକରଣ ଅବଧିକୁ ଆଉ ଏକ ସପ୍ତାହ ବୃଦ୍ଧି କରିଛନ୍ତି, ତଥାପି ବିଭାଗୀୟ ମନ୍ଥରତା ଯୋଗୁଁ ନିର୍ଦ୍ଧାରିତ ସମୟ ମଧ୍ୟରେ ପଞ୍ଜିକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ବିଭାଗୀୟ ଉଦାସୀନତା ଓ ସ୍ଥାଣୁତା ଯୋଗୁଁ ଚାଷୀମାନେ ଏଭଳି ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବା ବେଳେ, ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ପଞ୍ଜିକରଣ ବ୍ୟବସ୍ଥାରେ ସୁଧାର ଆଣିବାକୁ ଏବଂ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଦାବି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande