
ନୂଆପଡ଼ା,୧ ସେପ୍ଟେମ୍ବର (ହି.ସ.): ନୂତନ ଗୃହ ନିର୍ମାଣ କାର୍ଯ୍ୟରେ ପାହାଚର ସେଣ୍ଟ୍ରିଙ୍ଗ ଖୋଳୁଥିବା ବେଳେ ସେଣ୍ଟ୍ରିଙ୍ଗ ଭୁଶୁଡ଼ି ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ୱାର୍ଡ ନଂ-୧୧ ପୁଟୁପଡ଼ାର ହୃଷିକେଶ ଶବର (୩୮)। ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୯ଟା ୩୦ ମିନିଟ ସମୟରେ ଖଡ଼ିଆଳ ଥାନା ଅନ୍ତର୍ଗତ ଚନାବେଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘର ନିର୍ମାଣ କାର୍ଯ୍ୟରେ ହୃଷିକେଶ ଶ୍ରମିକ ଭାବେ କାମ କରୁଥିଲେ। ସେ ପାହାଚର ସେଣ୍ଟ୍ରିଙ୍ଗ ଖୋଳୁଥିବା ସମୟରେ ହଠାତ୍ ସେଣ୍ଟ୍ରିଙ୍ଗ ଭୁଶୁଡ଼ି ତାଙ୍କ ଉପରେ ପଡ଼ିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଘଟଣାର ଖବର ପାଇ ଖଡ଼ିଆଳ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେଣ୍ଟ୍ରିଙ୍ଗ ତଳୁ ହୃଷିକେଶଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ହୃଷିକେଶଙ୍କ ମୃତ୍ୟୁ ଘଟିଥିଲା। ଏନେଇ ମୃତକଙ୍କ ସ୍ତ୍ରୀ ସବିତା ଶବର ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ହୃଷିକେଶଙ୍କ ପରିବାର ଆର୍ଥିକ ଭାବେ ଦୁର୍ବଳ ହୋଇଥିବାରୁ ତାଙ୍କ ମୃତ୍ୟୁ ପରେ ପରିବାରର ଜୀବିକା ଉପରେ ଗୁରୁତର ପ୍ରଭାବ ପଡ଼ିଛି। ତେଣୁ ସରକାରୀ ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପରିବାର ଲୋକ ଓ ଗ୍ରାମବାସୀ ଦାବି କରିଛନ୍ତି। ଏହି ଘଟଣାରେ ଏସ୍ଆଇ ସହଦେବ ଯୋଶୀଙ୍କ ନେତୃତ୍ୱରେ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ