
କେନ୍ଦ୍ରାପଡ଼ା, ୦୧ ସେପ୍ଟେମ୍ବର(ହି.ସ.) – ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ତଥା ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଓଡ଼ିଶାର ସର୍ବ ପୁରାତନ କେନ୍ଦ୍ରାପଡ଼ା ମ୍ୟୁନିସିପାଲଟି ସୌଜନ୍ୟରୁ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ସ୍ୱାୟତ ଶାସନ ଦିବସ ଉପଲକ୍ଷେ ଚିତାକର୍ଷକ ନୃତ୍ୟ ଓ ସଙ୍ଗୀତ ପରିବେଷିତ ହୋଇଯାଇଛି। ବିଶିଷ୍ଟ ଗୀତିକାର, ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କ ବଳିଷ୍ଠ ସଂଯୋଜନାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ବହୁ ବରେଣ୍ୟ ଅତିଥିମାନେ ଉପସ୍ଥିତ ରହି କଳାକାରମାନଙ୍କୁ କରତାଳି ମାଧ୍ୟମରେ ଉତ୍ସାହିତ କରିଥିଲେ। ବିମଳ ପରିଡ଼ା ଅକ୍ଷୟ ମହାନ୍ତିଙ୍କ କାଳଜୟୀ ସଙ୍ଗୀତ ମେଘ ମାଳାକୁ ଗାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ରୂପାଲି ସୂତାର, ଅଙ୍କିତା ପରିଡ଼ା, ଅର୍ପିତା ସାହୁ, ଅଙ୍କିତା ସାହୁ, ପ୍ରତୀକ୍ଷା ନାୟକ, ରତ୍ନମଞ୍ଜରୀ ପରିଡ଼ା, ତିଗ୍ନାଶୁ ତେଜସ୍ୱୀନୀ ପ୍ରମୁଖ ନୃତ୍ୟ ଶିଳ୍ପୀମାନେ ଶ୍ରୀ ଗଣେଶ, ଶ୍ରୀ ବଳଦେବଜୀଉ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଉପରେ ଆଧାରିତ ଭିନ୍ନ ସ୍ୱାଦର ନୃତ୍ୟ ପରିବେଷଣ କରିଥିଲେ। ହେନାଞ୍ଜଳି ଜେନା, ରେଖାଞ୍ଜଳି ଜେନା, ରଶ୍ମିତା ବେହେରା, ଶ୍ରାବଣୀ ନାଥ, ସୃଷ୍ଟି ପ୍ରିୟଦର୍ଶିନୀ ପ୍ରମୁଖ କଳାକାରମାନେ ନୃତ୍ୟ ଶିଳ୍ପୀମାନଙ୍କ ସହିତ ମିଳିତ ଭାବରେ ବନ୍ଦେ ଉତ୍କଳ ଜନନୀ ଏବଂ ସ୍ୱାଗତ ସଙ୍ଗୀତ ଗାଇଥିଲେ। ଉପସ୍ଥାପିକା ପ୍ରତିମା ବାରିକ୍ ମଂଚ ପରିଚାଳନା କରିଥିଲେ। ଅଧ୍ୟକ୍ଷା ସରିତା ସାହୁ ଏବଂ ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା କାର୍ଯ୍ୟକ୍ରମ ଶେଷରେ ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡ଼ା ଏବଂ ପ୍ରତିମା ବାରିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଭାବଗ୍ରାହୀ କଳା ନିକେତନର ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି