



ବଲାଙ୍ଗୀର, ୦୧ ସେପ୍ଟେମ୍ବର(ହି.ସ.) – ଆଜି ବଲାଙ୍ଗୀର ଜିଲ୍ଲା ପରିଷଦ ସଭାଗୃହରେ ଦିଶା' ବୈଠକ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଏହି ବୈଠକରେ ଅଧ୍ୟକ୍ଷତା କରିଥିବାବେଳେ କଂଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଏବଂ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଯୋଗଦେଇ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।
ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ଭିତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ତର୍ଜମା କରାଯାଇଥିଲା। ବିଶେଷକରି ଶିକ୍ଷା କ୍ଷେତ୍ରରେ ଉନ୍ନତି, ଲୋୟର ସୁକତେଲ ପ୍ରକଳ୍ପର ବିସ୍ଥାପିତଙ୍କୁ ମୌଳିକ ସୁବିଧା ପ୍ରଦାନ, ଜିଲ୍ଲାର ଗୋଶାଳାଗୁଡ଼ିକର ସୁଚାରୁ ପରିଚାଳନା ଓ ନୂତନ ଗୋଶାଳା ନିର୍ମାଣ ନେଇ ସମୀକ୍ଷା କରାଯାଇଥିଲା।
ଭତାକୁ ନେଇ ଯେଉଁସବୁ ସମସ୍ୟା ରହିଛି ଏବଂ ସେଗୁଡ଼ିକ କେମିତି ତ୍ୱରିତ ଭାବେ ସମାଧାନ କରାଯାଇ ପାରିବ ସେ ଦିଗର ମଧ୍ୟ ଆଲୋଚନା କରାଯାଇଥିଲା। ଯୋଗ୍ୟ ହିତାଧିକାରୀମାନେ ଯେପରି ଭତା ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ସେହିପରି କୃଷି କ୍ଷେତ୍ରରେ ଜଳସେଚନର ସୁବିଧା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଗ୍ରାମାଂଚଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ବିଦ୍ୟୁତୀକରଣ ଏବଂ ପ୍ରଧାନମନ୍ତ୍ରୀ ଆବାସ ଆଦି ଯୋଜନାର ସଫଳ ରୂପାୟନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ସାଂସଦ ଶ୍ରୀମତୀ ସିଂଦେଓ ସମସ୍ତ ଜନକଲ୍ୟାଣକାରୀ ଯୋଜନାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଏହାର ସୁଫଳ ପହଂଚାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କଂଟାବାଞ୍ଜି ବିଧାୟକ ଶ୍ରୀ ବାଗ ଜନସାଧାରଣଙ୍କ ମୌଳିକ ସମସ୍ୟାଗୁଡ଼ିକୁ ପାଖରୁ ଅନୁଭବ କରି ସେଗୁଡ଼ିକର ତ୍ୱରିତ ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଦ୍ରୁତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଏହାସହ ବାଲି ଚୋରାଚାଲାଣ ରୋକିବା ପାଇଁ ଖଣି ବିଭାଗକୁ ଦୃଢ଼ ଓ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ବୈଠକରେ ଆଲୋଚିତ ପ୍ରତ୍ୟେକଟି ପ୍ରସଙ୍ଗକୁ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଏବଂ ସରକାରୀ ଯୋଜନାରୁ ଯେପରି କୌଣସି ପ୍ରକୃତ ହିତାଧିକାରୀ ବଂଚିତ ନହୁଅନ୍ତି, ସେଥିପାଇଁ ସମସ୍ତ ବିଭାଗକୁ ସତର୍କ କରାଇଥିଲେ।
ବୈଠକର ଶେଷ ପର୍ଯ୍ୟାୟରେ ବିଭିନ୍ନ ପଂଚାୟତ ସମିତିରୁ ଆସିଥିବା ଜନପ୍ରତିନିଧିମାନେ ନିଜ ନିଜ ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ, ଜିଲ୍ଲା ପ୍ରଶାସନ ପକ୍ଷରୁ ସେଗୁଡ଼ିକର ସମାଧାନ ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।
ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ପାଟଣାଗଡ଼ ଉପଜିଲ୍ଲାପାଳ ସୁନିଲ କୁମାର ମେହେରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ