
କେନ୍ଦୁଝର, ୦୧ ସେପ୍ଟେମ୍ବର(ହି.ସ.) – ଜେଲ୍ ନଯିବା ପାଇଁ ଲାଂଚୁଆ ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କ ସବୁ ଉଦ୍ୟମ ଫସର ଫାଟିଲା। ୨୦ ହଜାର ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଭିଜିଲାନ୍ସ ୩ଟି ସ୍ଥାନରେ ଚଢ଼ାଉ କରି ନଗଦ ୭,୨୯,୨୦୦ ଟଙ୍କା ଏବଂ ୩୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଜବତ କରିଥିଲା। ଏହାସହ ଅନେକ କାଗଜପତ୍ର ଜବତ କରିଥିଲା। ତଦନ୍ତ ସରିବାପରେ ଗତକାଲି ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ ପୂର୍ବରୁ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। କିନ୍ତୁ ସେଠାରେ ଆରମ୍ଭ ହୋଇଥିଲା ଶ୍ରମ ଅଧିକାରୀଙ୍କ ଅସୁସ୍ଥ ଡ୍ରାମା। ହଟାତ୍ ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିବା କହି ବଡ଼ଜୋରରେ ଚିଲାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ସହ ନିରୀକ୍ଷଣରେ ରଖିବା ପାଇଁ ଡାକ୍ତରଖାନାରେ ଭର୍ତି କଲେ। ତାପରେ ଆରମ୍ଭ ହେଲା ତାଙ୍କର ଇସିଜି ଏବଂ ରକ୍ତ ପରୀକ୍ଷା। ଏହିଭିତରେ ଡାକ୍ତର ଦେଇଥିବା ଇଞ୍ଜେସନ ଏବଂ ଔଷଧ ସେବନ କରିବାକୁ ମନା କରିଥିଲେ ଲାଂଚୁଆ ବାବୁ। ପରେ ସମସ୍ତ ପରୀକ୍ଷା ରିପୋର୍ଟ ଠିକଠାକ୍ ଆସିବାପରେ ଲାଂଚୁଆ ବାବୁ ବାହାନା କରୁଥିବା ସ୍ପଷ୍ଟ ହୋଇଥିଲା ଏବଂ ଡାକ୍ତଖାନାରୁ ଛୁଟି ଦେଇଥିଲେ। ପରେ ଭିଜିଲାନ୍ସ ତାଙ୍କୁ ଧରି ଅଫିସକୁ ଫେରିବା ସହ ଲାଂଚୁଆ ବାବୁ କାଳେ କିଛି ବାହାନା କରି ପୁଣି ଛୁ ମାରିବେ ସେଥିପାଇଁ ରାତି ତମାମ ତାଙ୍କୁ ଜଗିବସିଥିଲେ। ଆଜି କୋର୍ଟ ଖୋଲିବା ପରେ ଭିଜିଲାନ୍ସ ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିଥିଲା। ଲାଂଚୁଆ ବାବୁଙ୍କ ଓକିଲ ତାଙ୍କର ଶରୀର ଅସୁସ୍ଥ ଥିବାରୁ ଜାମିନ ପାଇଁ ଆବେଦନ କରିଥିଲେ ବି ଜଜ୍ ଏହାକୁ ଖାରଜ କରି ୧୧ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଶେଷରେ ଲାଂଚୁଆ ଶ୍ରମ ଅଧିକାରୀ ଜେଲ୍ ଯାଇଥିବାବେଳେ ତାଙ୍କର ଏପରି ଡ୍ରାମା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA