
ମୈନପୁରୀ, ସେପ୍ଟେମ୍ବର 1(ହି.ସ)-ଖଟୁଶ୍ୟାମ ଏବଂ ବୃନ୍ଦାବନ ଯାତ୍ରା କରୁଥିବା ଉତ୍ତର ପ୍ରଦେଶର ମୈନପୁରୀରୁ ଭକ୍ତମାନଙ୍କୁ ନେଇ ଯାଉଥିବା ଏକ ମ୍ୟାକ୍ସ ପିକଅପ୍ ଟ୍ରକ୍ ହରିୟାଣାର ପଲୱାଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଛଅ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ 14 ଜଣ ଆହତ ହୋଇଛନ୍ତି।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ହରିୟାଣା ସରକାରଙ୍କ ସହିତ କଥା ହୋଇଛନ୍ତି। ସେ ମୃତକଙ୍କ ମୃତଦେହକୁ ସେମାନଙ୍କ ପରିବାରକୁ ପହଞ୍ଚାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ମୈନପୁରୀର କିଶାନିରୁ ଭକ୍ତଙ୍କ ଏକ ଦଳ ଏକ ମ୍ୟାକ୍ସ ପିକଅପ୍ ଟ୍ରକ୍ ଯୋଗେ ତୀର୍ଥଯାତ୍ରା ଆରମ୍ଭ କରିଥିଲେ। ସୋମବାର ସନ୍ଧ୍ୟାରେ, ରାଜସ୍ଥାନର ଖଟୁଶ୍ୟାମ ଏବଂ ସାଲାସର ବାଲାଜୀ ମନ୍ଦିର ଦର୍ଶନ କରିବା ପରେ, ସେମାନେ ବୃନ୍ଦାବନ ଅଭିମୁଖେ ବାହାରିଥିଲେ। ଏହି ମଧ୍ୟରେ, ମଙ୍ଗଳବାର ସକାଳେ, ପଲୱାଲରେ କେଏମପି ଏକ୍ସପ୍ରେସୱେରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ସେମାନଙ୍କ ଗାଡ଼ି ଧକ୍କା ହୋଇଥିଲା। ଦୁର୍ଘଟଣାରେ ମୈନପୁରୀର ବିଜୟ ସିଂହ, ରାଜକୁମାର, ରେଶମା ଦେବୀ, କମଳା ଦେବୀ, ସୁଧା ଏବଂ ମହେଶଙ୍କର ମୃତ୍ୟୁ ହୋଇଥିଲ। ସୁନୀଲ, ଶ୍ୱେତା ଯାଦବ, ବୀରେଶ, ଉମେଦ, ବିନୋଦ କୁମାର, ସରଳା, ରୁବି, ରାମସେବକ, ରବି, ଭାନି, ବୀନୁ, ତନ୍ନୁ, ରେଖା ଏବଂ ଗୋରା ଦେବୀଙ୍କ ସମେତ ଚଉଦ ଜଣ ଆହତ ହୋଇଛନ୍ତି।ପୋଲିସର ସୂଚନା ଅନୁଯାୟୀ, ଆହତମାନଙ୍କୁ ପଲୱାଲର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମୃତଦେହକୁ ଜିଲ୍ଲା ହସ୍ପିଟାଲ ମର୍ଚ୍ୟୁରୀରେ ରଖାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା