
ଝାରସୁଗୁଡ଼ା, ୧ ସେପ୍ଟେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲା ଶ୍ରୀପୁରା ଗ୍ରାମପଞ୍ଚାୟତ ଅଞ୍ଚଳରେ ଥିବା ଏପସିଲନ କାର୍ବନ ପ୍ରାଇଭେଟ୍ ଲିମିଟେଡ୍ରେ ସ୍ଥାନୀୟ ଜମିହରା ପରିବାର ଓ ଯୁବକମାନଙ୍କ ନିଯୁକ୍ତିକୁ ନେଇ ଶ୍ରୀପୁରା ସରପଞ୍ଚ ଯଶୋବନ୍ତୀ ପାଣ୍ଡେ ମଙ୍ଗଳବାର ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଏକ ପତ୍ର ପ୍ରଦାନ କରିଛନ୍ତି। ପ୍ରକୃତ ଓ ଯୋଗ୍ୟ ଜମିହରା ପରିବାରର ସଦସ୍ୟଙ୍କୁ ଚିହ୍ନଟ କରି ସ୍ୱଚ୍ଛ ଓ ନିରପେକ୍ଷ ଭାବେ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ସେ ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ଦାବି କରିଛନ୍ତି।
ପୂର୍ବରୁ ଗ୍ରାମପଞ୍ଚାୟତ ପକ୍ଷରୁ ପଠାଯାଇଥିବା ଚିଠି ନମ୍ବର ୭୯/୨୦୨୬ର ଉତ୍ତରରେ କମ୍ପାନୀର ପ୍ଲାଣ୍ଟ ହେଡ୍ ଜିଲ୍ଲା ପ୍ରଶାସନ ଓ ସରପଞ୍ଚଙ୍କୁ ଜଣାଇଥିଲେ ଯେ, ଜିଲ୍ଲା ପ୍ରଶାସନ ଆୟୋଜିତ ନିଯୁକ୍ତି ମେଳା ମାଧ୍ୟମରେ କମ୍ପାନୀ ୧୭ ଜଣ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେଇଛି। ସେହିପରି ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସମ୍ପୂର୍ଣ୍ଣ ଉତ୍ପାଦନ ଆରମ୍ଭ ହେବା ପରେ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିୟମାବଳୀ ଅନୁଯାୟୀ ପରବର୍ତ୍ତୀ ନିଯୁକ୍ତି ପ୍ରକ୍ରିୟା କରାଯିବ ବୋଲି କମ୍ପାନୀ ପକ୍ଷରୁ ଆଶ୍ୱାସନା ଦିଆଯାଇଛି। ନିଯୁକ୍ତି ମେଳା ମାଧ୍ୟମରେ ସ୍ଥାନୀୟ ଯୁବକମାନଙ୍କୁ ଚାକିରି ସୁଯୋଗ ମିଳିଥିବାରୁ ସରପଞ୍ଚ ଯଶୋବନ୍ତୀ ପାଣ୍ଡେ ଜିଲ୍ଲାପାଳ ଏବଂ ଏପସିଲନ କାର୍ବନର ପ୍ଲାଣ୍ଟ ହେଡ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଭବିଷ୍ୟତରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ କୌଣସି ବିବାଦ ସୃଷ୍ଟି ନ ହେବା ପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀ, କମ୍ପାନୀ ପ୍ରତିନିଧି ଏବଂ ଗ୍ରାମପଞ୍ଚାୟତର ସ୍ଥାନୀୟ ଜନପ୍ରତିନିଧିଙ୍କୁ ନେଇ ଏକ କମିଟି ଗଠନ କରି କ୍ଷେତ୍ରସ୍ତରରେ ସଠିକ୍ ସର୍ଭେ କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏହାସହ ସର୍ଭେ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ଦିଶାନିର୍ଦ୍ଦେଶ ଜାରି କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଏହି ପତ୍ରର ନକଲ ଏପସିଲନ କାର୍ବନ କମ୍ପାନୀର ପ୍ଲାଣ୍ଟ ହେଡ୍ ଏବଂ ବଡ଼ମାଲ ଥାନା ଅଧିକାରୀଙ୍କୁ ଅବଗତି ନିମନ୍ତେ ପ୍ରେରଣ କରାଯାଇଥିବା ଜଣାପଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ