
ଝାରସୁଗୁଡ଼ା, 01 ସେପ୍ଟେମ୍ବର (ହି.ସ.) - ଝାରସୁଗୁଡ଼ା ଯୁବ ସଂଘ ପକ୍ଷରୁ ଝାରସୁଗୁଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ୱାର୍ଡ ନଂ–୨୦ ଅନ୍ତର୍ଗତ ମୁଙ୍ଗାପଡ଼ା ଅଞ୍ଚଳରେ ଦୀର୍ଘଦିନ ଧରି ଲାଗିରହିଥିବା ଜଳନିଷ୍କାସନ ସମସ୍ୟା, ଏବଂ ଭଙ୍ଗା ରାସ୍ତାର ତୁରନ୍ତ ମରାମତି ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସଂଘର କହିବାନୁସାରେ, ଗତ କିଛି ମାସ ଧରି ମୁଙ୍ଗାପଡ଼ା ଅଞ୍ଚଳର ବାସିନ୍ଦାମାନେ ନିମ୍ନମାନର ନାଗରିକ ସୁବିଧା ଯୋଗୁଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଞ୍ଚଳର ଡ୍ରେନଗୁଡ଼ିକ ନିୟମିତ ଭାବେ ଭାଙ୍ଗି ଅପରିଷ୍କାର ପାଣି ରାସ୍ତାରେ ଜମି ରହୁଛି। ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ମଶା ଓ ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ବଢ଼ିଛି।ଏହାସହ ଅଞ୍ଚଳର ରାସ୍ତାଗୁଡ଼ିକ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ସାଧାରଣ ଲୋକ, ସ୍କୁଲ ଛାତ୍ରଛାତ୍ରୀ ଏବଂ ଦୁଇଚକିଆ ଚାଳକମାନେ ପ୍ରତିଦିନ ଦୁର୍ଘଟଣାର ଆଶଙ୍କା ମଧ୍ୟରେ ଯାତାୟାତ କରୁଛନ୍ତି। ବର୍ଷା ସମୟରେ ନାଳୀର ପାଣି ରାସ୍ତାରେ ଜମି ରହିବା ସହ ଭଙ୍ଗା ରାସ୍ତା ଯୋଗୁଁ ପରିସ୍ଥିତି ଆହୁରି ସଙ୍କଟଜନକ ହୋଇପଡ଼ୁଛି।ଝାରସୁଗୁଡ଼ା ଯୁବ ସଂଘ ପକ୍ଷରୁ ପୌରପାଳିକା କର୍ତ୍ତୃପକ୍ଷଙ୍କ ନିକଟରେ ଚାରିଟି ଗୁରୁତ୍ୱପୂର୍ଣ୍ଣ ଦାବି ରଖାଯାଇଛି ଏହି ଦାବି ଗୁଡ଼ିିକ ରେ ବନ୍ଦ ହୋଇଥିବା ନାଳୀଗୁଡ଼ିକର ତୁରନ୍ତ ସଫେଇ ଓ ମରାମତି।ଭବିଷ୍ୟତରେ ଜଳଜମା ସମସ୍ୟା ରୋକିବା ପାଇଁ ନିୟମିତ ଡ୍ରେନ ସଫେଇ ଓ ପଙ୍କ ଅପସାରଣ।ମୁଙ୍ଗାପଡ଼ା ଅଞ୍ଚଳର ସମସ୍ତ ଭଙ୍ଗା ରାସ୍ତାର ଶୀଘ୍ର ମରାମତି ଓ ପୁନଃନିର୍ମାଣ।ପ୍ରତିବର୍ଷ ବର୍ଷା ଋତୁରେ ଜଳଜମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦୀର୍ଘମିଆଦି ଇଞ୍ଜିନିୟରିଂ ବ୍ୟବସ୍ଥା ଗ୍ରହଣ।
ଝାରସୁଗୁଡ଼ା ଯୁବ ସଂଘ ଆଶା ପ୍ରକାଶ କରିଛି ଯେ, ପୌରପାଳିକା କର୍ତ୍ତୃପକ୍ଷ ଏହି ଜନସ୍ୱାର୍ଥ ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଏହାଦ୍ୱାରା ମୁଙ୍ଗାପଡ଼ା ଅଞ୍ଚଳରେ ସ୍ୱଚ୍ଛତା, ସୁରକ୍ଷା ଓ ସାଧାରଣ ଜନଜୀବନ ସ୍ୱାଭାବିକ ହୋଇପାରିବ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ