
ଭୁବନେଶ୍ୱର, ୦୧ ସେପ୍ଟେମ୍ବର (ହି.ସ.) - ଉତରାଖଣ୍ଡର ବିଜେପି ନେତା ଓ କର୍ମୀ ଏବଂ ଏକ ଗୈରିକ ସଂଗଠନ ପକ୍ଷରୁ ଲୋକସଭାର ବିରୋଧିଦଳର ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ନାମରେ ଦେଇଥିବା ଏତଲା ପ୍ରତିବାଦରେ ମଙ୍ଗଳବାର ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ମହିଳା କଂଗ୍ରେସ କର୍ମୀମାନେ ଏକ ରାଲିରେ ଆସି ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମୀତ ଶାହାଙ୍କର କୁଶପୁତଳିକା ଦାହ କରିଥିଲେ । ଏଥିସହ ମନସ୍ମୃତି ଫଟୋ ଥିବା ବ୍ୟାନରରେ ଛକି ଚିହ୍ନ ଦେଇ ପ୍ରଦର୍ଶନ କରାଯାଇଥିଲା ।
ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଆମେ ଆମ୍ବେଦକରଙ୍କ ଦ୍ୱାରା ପ୍ରଣିତ ସମ୍ବିଧାନକୁ ସମ୍ମାନ କରୁ ଏବଂ ସମ୍ବିଧାନରେ ନିର୍ଦ୍ଦେଶିତ ପଥକୁ ଅନୁସରଣ କରୁ । ମନସ୍ମୃତି ମଣିଷ ଭିତରେ ଉଚ୍ଚନିଚ୍ଚ ଭେଦଭାବକୁ ଜାହିର କରିଥାଏ । ଆଜିର ଦିନରେ ମନସ୍ମୃତି ଗ୍ରହଣୀୟ ହୋଇନାହିଁ ।ଉତରାଖଣ୍ଡର ହଲଦ୍ୱାନୀସ୍ଥିତ ରାମଲିଳା ମଇଦାନରେ ଏକ ସଭାକୁ ଅଗଷ୍ଟ ୮ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ସମ୍ବୋଧିତ କରିଥିଲେ । ଅଗଷ୍ଟ ୧୧ ତାରିଖ ଦିନ ଭାରତୀୟ ଜନତାପାର୍ଟିର ପ୍ରରୋଚନାରେ ଏକ ଗୈରିକ ସଂଗଠନ ରାମଲୀଳା ମଇଦାନ ସଭାସ୍ଥଳରେ ଗଙ୍ଗାଜଳ ଓ ଗୋମୂତ୍ର ଛିଂଚନ ଏବଂ ହୋମ କରି ଶୁଧିକରଣ କରିଥିଲେ । କାରଣ ଖର୍ଗେ ଜଣେ ଦଳିତ ବର୍ଗର ଲୋକ । ବିଜେପି ଏହାର ସହଯୋଗୀ ଗୈରିକ ସଂଗଠନ ଦଳିତଙ୍କୁ ଘୃଣା କରନ୍ତି ।
ଅଗଷ୍ଟ ୨୯ ତାରିଖ ଦିନ ରାହୁଲ ଗାନ୍ଧୀ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାର ଦୃଢ଼ ନିନ୍ଦା କରିଥିଲେ । ସେ କହିଥିଲେ ଏତଦ୍ ଦ୍ୱାରା ଅସ୍ପୃଶ୍ୟତାକୁ ଉତ୍ସାହିତ କରାଯିବା ସହ ଯେଉଁ ବିଜେପି କର୍ମୀ ଓ ତାଙ୍କ ସହଯୋଗୀ ସଂଗଠନର କର୍ମୀମାନେ ଏହି ‘ଶୁଦ୍ଧିକରଣ’ କାର୍ଯ୍ୟ କରିଛନ୍ତି, ସେମାନଙ୍କ ବିରଦ୍ଧରେ ଏତଲା ଦରଜ କରାଯାଉ । ମାତ୍ର ଉତରାଖଣ୍ଡର ପୁଲିସ ରାହୁଲ ଗାନ୍ଧୀଙ୍କ ଦାବିକୁ ଗ୍ରହଣ କରିବା ବଦଳରେ ଓଲଟା ରାହୁଲ ଗାନ୍ଧୀଙ୍କ ନାମରେ ଏତଲା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପ୍ରଣତୀ ମିଶ୍ର, ଜୟଶ୍ରୀ ପଟ୍ଟନାୟକ, ସୁନୀତା ବିଶ୍ୱାଳ, ଅମୀଶା ସାମନ୍ତରାୟ, ଶ୍ରୀୟାସ୍ମିତା ପଣ୍ଡା, ଜୟସ୍ମିତା ମହାନ୍ତି, ଜବାମଣି ଟୁଡୁ, ସିଲି ସେଠୀ, କଳ୍ପନା ଆପଟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା