


ସମ୍ବଲପୁର, ୧୦ ସେପ୍ଟେମ୍ବର(ହି.ସ.) – ଅଗ୍ରଣୀ ଅନୁଷ୍ଠାନ ଭାରତୀ ସମାଜ' ପକ୍ଷରୁ ସମ୍ବଲପୁରୀ ଲୋକ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ବିଦ୍ୟାଳୟରେ ଲୋକନୃତ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହିକ୍ରମରେ ଗତ ଗୁରୁବାର ହିନ୍ଦୀ ହାଇସ୍କୁଲରେ ତିନିଦିନିଆ ସମ୍ବଲପୁରୀ ଲୋକନୃତ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସମ୍ବଲପୁରୀ ଲୋକନୃତ୍ୟ ପ୍ରଶିକ୍ଷଣର ଉଦ୍ଘାଟନୀ ଉତ୍ସବରେ ଭାରତୀ ସମାଜର ମୁଖ୍ୟ ସଂଚାଳକ ଭବାନୀଶ ଭୋଇ, ମହାସଚିବ ଗୋପବନ୍ଧୁ ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଭାରତୀ ସମାଜ ପକ୍ଷରୁ ନୃତ୍ୟଗୁରୁ ରଞ୍ଜିତ ସାହୁ ପ୍ରଶିକ୍ଷଣ ଦେଇଥିଲେ। ପ୍ରଥମ ଦିନରେ ଛାତ୍ରଛାତ୍ରୀମାନଙ୍କୁ ଲୋକନୃତ୍ୟ ଏବଂ ଲୋକ ସଂସ୍କୃତି ଉପରେ ଧାରଣା ଦିଆଯିବା ସହ ସମ୍ବଲପୁରୀ ଲୋକନୃତ୍ୟ ପ୍ରଶିକ୍ଷଣ ଦେଇଥିଲେ। ସୂଚନାଯୋଗ୍ୟ, ସମ୍ବଲପୁରୀ ଲୋକ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା'ରେ ଗତବର୍ଷ ଠାରୁ ନିଃଶୁଳ୍କ ସମ୍ବଲପୁରୀ ଲୋକନୃତ୍ୟ ପ୍ରଶିକ୍ଷଣ ଦିଆଯାଇ ଆସୁଛି। ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ବଲପୁରୀ ଲୋକ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପଶ୍ଚିମାଂଚଳ ଏକତା ମଂଚ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆସୁଛି। ଆଜି ହିନ୍ଦୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନୀହାରିକା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଲୋକନୃତ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କଳା ଶିକ୍ଷକ ଡ଼. ମାନସ ରଞ୍ଜନ ମିଶ୍ର, ଦେବୀକା ମିର୍ଦ୍ଧା ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ