
ନୂଆଦିଲ୍ଲୀ, ୧୦ ସେପ୍ଟେମ୍ବର(ହି.ସ.) – ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଆଇ.ଏସ୍.ଟି.ଆଇ.ସି. ୨୦୨୬(ଉଦୀୟମାନ ପ୍ରଯୁକ୍ତି ବିଦ୍ୟା, ବିଜ୍ଞାନ, ନବସୃଜନ ଏବଂ ସହଯୋଗ ସମ୍ମିଳନୀ) ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଭାରତ ମଣ୍ଡପମରେ ଅନୁଷ୍ଠିତ ହେବ। ଏହି ତିନିଦିନିଆ କାର୍ଯ୍ୟକ୍ରମ ଭାରତ ଏବଂ ବିଦେଶର ବୈଜ୍ଞାନିକ, ଗବେଷକ, ଶିଳ୍ପ ପ୍ରତିନିଧି, ଷ୍ଟାର୍ଟଅପ୍, ନୀତି ନିର୍ଦ୍ଧାରକ, ଶିକ୍ଷା ଜଗତ ଏବଂ ନବସୃଜନ ବିଶେଷଜ୍ଞମାନଙ୍କୁ ଗୋଟିଏ ମଂଚରେ ଏକାଠି କରିବ।
ଏହି ସମ୍ମିଳନୀରେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ(ଏ.ଆଇ.), କ୍ୱାଂଟମ୍ ଟେକ୍ନୋଲୋଜି, ସ୍ପେସ୍ ସାଇନ୍ସ, ବାୟୋଟେକ୍ନୋଲୋଜି, ଡିପ-ଟେକ୍, ବ୍ଲୁ ଇକୋନୋମି, ସେମିକଣ୍ଡକ୍ଟର, ସାଇବର ସୁରକ୍ଷା ଏବଂ ନିରନ୍ତର ବିକାଶ ଭଳି ଉଦୀୟମାନ କ୍ଷେତ୍ର ଉପରେ ବିସ୍ତୃତ ଆଲୋଚନା ହେବ। ଏହାବ୍ୟତୀତ, ପ୍ରଦର୍ଶନୀ, ବୈଷୟିକ ଅଧିବେଶନ, ବିଶେଷଜ୍ଞ ବକ୍ତୃତା, ଷ୍ଟାର୍ଟଅପ୍ ପ୍ରଦର୍ଶନୀ, ବି୨ବି ବୈଠକ ଏବଂ ଶିଳ୍ପ-ଏକାଡେମିକ୍ ସହଯୋଗକୁ ପ୍ରୋତ୍ସାହିତ କରୁଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ।
ଗୁରୁବାର ଦିନ, ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ ସୂଚନା ଦେଇଛନ୍ତି ଯେ ତିନିଜଣ ନୋବେଲ ପୁରସ୍କାର ବିଜେତା ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ଏହାବ୍ୟତୀତ ଏଥିରେ ତିନି ହଜାରରୁ ଅଧିକ ପ୍ରତିନିଧି ଆସିବେ, ଯେଉଁଥିରେ ଅଧିକାଂଶ ଯୁବପିଢ଼ି ଅଂଶଗ୍ରହଣ କରିବେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି