ବ୍ରଜରାଜନଗର ରେଞ୍ଜ ରେ ବ୍ୟାପକ ମିଆୱାକି ବନୀକରଣ
Extensive Miyawaki Afforestation in Brajrajnagar Range
ବ୍ରଜରାଜନଗର ରେଞ୍ଜରେ ବ୍ୟାପକ ମିଆୱାକି ବନୀକରଣ


ଝାରସୁଗୁଡ଼ା, ୧୦ ସେପ୍ଟେମ୍ବର (ହି.ସ.)- ଜିଲ୍ଲାରେ ସବୁଜିମା ବୃଦ୍ଧି ଏବଂ ପରିବେଶ ସନ୍ତୁଳନ ବଜାୟ ରଖିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ ସ୍ୱରୂପ ଦୀର୍ଘ ଦିନ ଧରି ଜବରଦଖଲରେ ଥିବା ସରକାରୀ ଜମିକୁ ଉଚ୍ଛେଦ କରି ସେହି ସ୍ଥାନଗୁଡ଼ିକରେ ଜାପାନୀ ପଦ୍ଧତିରେ ଘଞ୍ଚ 'ମିଆୱାକି' ଜଙ୍ଗଲ ସୃଷ୍ଟି କରାଯାଉଛି। ଏହି ଅଭିଯାନ ମାଧ୍ୟମରେ ସହର ତଥା ଆଖପାଖ ଅଞ୍ଚଳରେ ଥିବା ଖାଲି ଜମିକୁ ପୁନରୁଦ୍ଧାର କରି ଏକ ସୁସ୍ଥ ପ୍ରାକୃତିକ ପରିବେଶ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି କ୍ରମରେ ୨୦୨୫-୨୬ ଆର୍ଥିକ ବର୍ଷରେ ଏନଟିପିସି ଦର୍ଲିପାଲିର ଆର୍ଥିକ ସହାୟତାରେ ଲୋଇସିଂହ ଠାରେ ୧୬,୦୦୦ ଚାରା ଏବଂ ବଲାଙ୍ଗୀବାହାଲ ଠାରେ ୧୨,୦୦୦ ଚାରା ରୋପଣ କରାଯାଇ ମିଆୱାକି ଜଙ୍ଗଲ ପ୍ରସ୍ତୁତ କରାଯାଉଛି। ଉଭୟ ସ୍ଥାନ ପୂର୍ବରୁ ଜବରଦଖଲରେ ରହିଥିଲା, ଯାହାକୁ ପ୍ରଶାସନ ପକ୍ଷରୁ ସଫଳତାର ସହ ଉଚ୍ଛେଦ କରାଯାଇ ବୃକ୍ଷରୋପଣ ଉପଯୋଗୀ କରାଯାଇଛି। ଏହି ମିଆୱାକି ପ୍ରକଳ୍ପରେ ମୁଖ୍ୟତଃ ବିଭିନ୍ନ ଔଷଧୀୟ ତଥା ଫଳନ୍ତି ଗଛକୁ ପ୍ରାଥମିକତା ଦିଆଯାଇଛି। ଏଥିରେ ଅଁଳା, ପିଜୁଳି, ତୁତ, ଆମ୍ବଡ଼ା, କରମଙ୍ଗା, ଜାମୁ, ନିମ୍ବ, କରଞ୍ଜ, ଆମ୍ବ, ଲେମ୍ବୁ, ଚନ୍ଦନ, ସୁନାରୀ, ବାହାଡ଼ା, ହରିଡ଼ା, ଅର୍ଜୁନ, ବର ଓ ଓସ୍ତ ଭଳି ବହୁମୂଲ୍ୟ ଏବଂ ସ୍ଥାନୀୟ ଜଳବାୟୁ ଉପଯୋଗୀ ପ୍ରଜାତିର ଚାରା ରୋପଣ କରାଯାଇଛି। ବ୍ରଜରାଜନଗର ବନ ରେଞ୍ଜ ଅଧୀନରେ ଗତବର୍ଷ ମିଆୱାକି ପଦ୍ଧତିରେ ମୋଟ ୮୪,୦୦୦ ଚାରା ରୋପଣ କରାଯାଇଥିବା ବେଳେ, ଚଳିତ ବର୍ଷ ଏହି ଅଭିଯାନକୁ ଆହୁରି ବ୍ୟାପକ କରାଯାଇଛି। ଚଳିତ ବର୍ଷ ବ୍ରଜରାଜନଗର ରେଞ୍ଜରେ ସର୍ବମୋଟ ୧ ଲକ୍ଷ ୧୨ ହଜାର (୧,୧୨,୦୦୦) ଚାରା ରୋପଣ କରାଯାଇଛି। ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ସହ ଜୈବ ବିବିଧତାର ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ତଥା କ୍ଷେତ୍ର ପରିଦର୍ଶନ ସମୟରେ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଆଞ୍ଚଳିକ ଅଧିକାରୀ ହିରଣ୍ୟ କୁମାର ନାଏକ, ଝାରସୁଗୁଡ଼ା ଜିଲ୍ଲା ବନ୍ୟପ୍ରାଣୀ ସଂରକ୍ଷକ ତଥା ବୃକ୍ଷ ରୋପଣ ତଦାରଖ କମିଟିର ଅଧ୍ୟକ୍ଷ ପ୍ରହ୍ଲାଦ ନାୟକ, ବ୍ରଜରାଜନଗର ବନାଞ୍ଚଳ ଅଧିକାରୀ ରିଷ୍ଣା ଜାମଡାଳିଆ, ଫରେଷ୍ଟର ସରୋଜ ଭୋଇ, ଫରେଷ୍ଟର ସଞ୍ଜିତ ଚୌଧୁରୀ, ଫରେଷ୍ଟ ଗାର୍ଡ଼ କିଶୋର ଶଣ୍ଢ ଏବଂ କାଜଲ ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିସହ ଜିଲ୍ଲା ପରିବେଶ ସମିତିର ସଦସ୍ୟ ବିଜୟ ବେହେରା ଓ ସୁରେନ୍ଦ୍ର ଭୋଇ ଏବଂ ଏନଟିପିସି ଦର୍ଲିପାଲିର ହେଡ୍ ଅଫ୍ ପ୍ରୋଜେକ୍ଟ ଫୈଜ୍ ତୟବ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande