‘ଭାରତର ନୂତନ ଶିଳ୍ପ ବିପ୍ଳବ’କୁ ପ୍ରଶଂସା କଲା ଜେଫ୍ରିଜ୍
ଛଅଟି ଉଚ୍ଚ ଅଭିବୃଦ୍ଧି କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ପ୍ରଗତି ନୂଆଦିଲ୍ଲୀ, 10 ସେପ୍ଚେମ୍ବର (ହି.ସ.): ବୃହତ ଘରୋଇ ବଜାର, ଘରୋଇ କ୍ଷେତ୍ରର ବର୍ଦ୍ଧିତ ଅଂଶଗ୍ରହଣ ଏବଂ ଦୀର୍ଘସ୍ଥାୟୀ ନୀତିଗତ ସମର୍ଥନ ଯୋଗୁଁ ଭାରତରେ ଏକ ‘ନୂତନ ଶିଳ୍ପ ବିପ୍ଳବ’ ଆରମ୍ଭ ହୋଇଛି ବୋଲି ବିଶ୍ୱସ୍ତରୀୟ ନିବେଶ ବ୍ୟାଙ୍କ ଜ
‘ଭାରତର ନୂତନ ଶିଳ୍ପ ବିପ୍ଳବ’କୁ ପ୍ରଶଂସା କଲା ଜେଫ୍ରିଜ୍


ଛଅଟି ଉଚ୍ଚ ଅଭିବୃଦ୍ଧି କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ପ୍ରଗତି

ନୂଆଦିଲ୍ଲୀ, 10 ସେପ୍ଚେମ୍ବର (ହି.ସ.): ବୃହତ ଘରୋଇ ବଜାର, ଘରୋଇ କ୍ଷେତ୍ରର ବର୍ଦ୍ଧିତ ଅଂଶଗ୍ରହଣ ଏବଂ ଦୀର୍ଘସ୍ଥାୟୀ ନୀତିଗତ ସମର୍ଥନ ଯୋଗୁଁ ଭାରତରେ ଏକ ‘ନୂତନ ଶିଳ୍ପ ବିପ୍ଳବ’ ଆରମ୍ଭ ହୋଇଛି ବୋଲି ବିଶ୍ୱସ୍ତରୀୟ ନିବେଶ ବ୍ୟାଙ୍କ ଜେଫ୍ରିଜ୍‌ ଏହାର ନୂତନ ରିପୋର୍ଟରେ କହିଛି।

ସେପ୍ଟେମ୍ବର ୯ରେ ପ୍ରକାଶିତ ରିପୋର୍ଟରେ ଜେଫ୍ରିଜ୍‌ ମହାକାଶ, ସେମିକଣ୍ଡକ୍ଟର, ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ, ସୌରଶକ୍ତି ଓ ଏରୋସ୍ପେସ୍‌ ଭଳି ଛଅଟି ଉଚ୍ଚ ଅଭିବୃଦ୍ଧି କ୍ଷେତ୍ରରେ ଭାରତର ପ୍ରଗତିକୁ ଉଲ୍ଲେଖ କରିଛି।

ମହାକାଶ କ୍ଷେତ୍ରକୁ ଘରୋଇ ସଂସ୍ଥାଗୁଡ଼ିକ ପାଇଁ ଖୋଲିବା, ଡାଟା ସେଣ୍ଟର ପାଇଁ ଟିକସ ପ୍ରୋତ୍ସାହନ, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଓ ସୌରଶକ୍ତି ପାଇଁ ପ୍ରୋତ୍ସାହନ ଯୋଜନା ଏବଂ ସରକାରୀ ଜିପିୟୁ କ୍ରୟ ଭଳି ପଦକ୍ଷେପ ଏହି ଉଦୀୟମାନ କ୍ଷେତ୍ରଗୁଡ଼ିକର ବିକାଶକୁ ତ୍ୱରାନ୍ୱିତ କରୁଥିବା ରିପୋର୍ଟରେ କୁହାଯାଇଛି।

ମହାକାଶ କ୍ଷେତ୍ରରେ ଭାରତ ବିଶ୍ୱସ୍ତରୀୟ ପ୍ରତିଯୋଗିତାକ୍ଷମତା ରଖୁଥିବା ହାତଗଣତି ଦେଶ ମଧ୍ୟରେ ରହିଛି। ସ୍କାଏରୁଟ୍‌, ପିକ୍ସେଲ ଓ ଅଗ୍ନିକୁଲ୍‌ ଭଳି ଘରୋଇ କମ୍ପାନୀ ବାଣିଜ୍ୟିକ ମହାକାଶ ପ୍ରକଳ୍ପ ଦିଗରେ ଆଗକୁ ବଢ଼ୁଥିବାରୁ ୨୦୩୦ ସୁଦ୍ଧା ଭାରତର ମହାକାଶ ଅର୍ଥନୀତି ପ୍ରାୟ ପାଞ୍ଚଗୁଣ ବୃଦ୍ଧି ପାଇ ୪୦-୪୫ ବିଲିୟନ ଡଲାରରେ ପହଞ୍ଚିପାରେ ବୋଲି ଜେଫ୍ରିଜ୍‌ ଆକଳନ କରିଛି।

ସେମିକଣ୍ଡକ୍ଟର କ୍ଷେତ୍ରରେ ନୀତିଗତ ପ୍ରୋତ୍ସାହନ ପ୍ରାୟ ୨୦ ବିଲିୟନ ଡଲାରର ନିବେଶକୁ ଆକର୍ଷିତ କରିଛି। ଗୋଟିଏ ଚିପ୍‌ ଫାବ୍‌ ନିର୍ମାଣାଧୀନ ଥିବାବେଳେ ଏକାଧିକ ଓଏସଏଟି ପ୍ରକଳ୍ପରେ ଉତ୍ପାଦନ ଆରମ୍ଭ ହୋଇଛି। ଅତିରିକ୍ତ ପ୍ରୋତ୍ସାହନ ଏହି କ୍ଷେତ୍ରର ଇକୋସିଷ୍ଟମକୁ ଆହୁରି ସୁଦୃଢ଼ କରିବ ବୋଲି ରିପୋର୍ଟରେ କୁହାଯାଇଛି।

ଗତ ପାଞ୍ଚ ବର୍ଷରେ ଭାରତର ଡାଟା ସେଣ୍ଟର କ୍ଷମତା ପ୍ରାୟ ପାଞ୍ଚଗୁଣ ବୃଦ୍ଧି ପାଇ ୨ ଗିଗାୱାଟରେ ପହଞ୍ଚିଛି। ଆସନ୍ତା ପାଞ୍ଚ ବର୍ଷରେ ଏହା ୧୦ ଗିଗାୱାଟରେ ପହଞ୍ଚିବା ସମ୍ଭାବନା ଥିବାରୁ ଶକ୍ତି, କୁଲିଂ, ନିର୍ମାଣ ଓ ନେଟୱର୍କ କ୍ଷେତ୍ରରେ ବ୍ୟାପକ ନିବେଶ ସୁଯୋଗ ସୃଷ୍ଟି ହେବ।

ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତ କେବଳ ଆସେମ୍ବ୍ଲିରେ ସୀମିତ ନରହି ଅଧିକ ମୂଲ୍ୟବୃଦ୍ଧି ଓ ଉପାଦାନ ଉତ୍ପାଦନ ଦିଗରେ ଅଗ୍ରସର ହେଉଛି। ମୋବାଇଲ ଉପାଦାନରେ ଘରୋଇ ମୂଲ୍ୟବୃଦ୍ଧି ବର୍ତ୍ତମାନ ୨୦%ରୁ କମ୍‌ ଥିବାବେଳେ ଆସନ୍ତା ଛଅ ବର୍ଷରେ ଏହା ୫୦%ରେ ପହଞ୍ଚିପାରେ।

ସୌର ଶକ୍ତି କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୋଲାର ପିଭି ନିର୍ମାତା ଭାବେ ଉଭା ହୋଇଛି। ଦେଶର କାର୍ଯ୍ୟକ୍ଷମ ସେଲ୍‌ କ୍ଷମତା ପ୍ରାୟ ୩୫ ଗିଗାୱାଟ ଥିବାବେଳେ ଆଉ ପ୍ରାୟ ୧୦୦ ଗିଗାୱାଟ କ୍ଷମତା ନିର୍ମାଣାଧୀନ ରହିଛି। ୨୦୩୦ ସୁଦ୍ଧା ସୌର ମୂଲ୍ୟ ଶୃଙ୍ଖଳାର ପ୍ରାୟ ୯୦% ଘରୋଇ ଉତ୍ପାଦନ ମାଧ୍ୟମରେ ପୂରଣ ହୋଇପାରେ ବୋଲି ଜେଫ୍ରିଜ୍‌ ଆକଳନ କରିଛି।

ଏରୋସ୍ପେସ୍‌ କ୍ଷେତ୍ରରେ ମଧ୍ୟ ବିଶ୍ୱସ୍ତରୀୟ ଚାହିଦା-ଯୋଗାଣ ଅସନ୍ତୁଳନରୁ ଭାରତ ଲାଭବାନ ହେବାର ସୁଯୋଗ ରହିଛି। ମୂଲ୍ୟ ପ୍ରତିଯୋଗିତାମୂଳକ ଉତ୍ପାଦନ ଓ ଦକ୍ଷ ଇଞ୍ଜିନିୟରିଂ ମାନବ ସମ୍ବଳ ଭାରତର ଏହି କ୍ଷେତ୍ରର ଶକ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଘରୋଇ କ୍ଷେତ୍ରର ବିଶାଳ ସୁଯୋଗ, ବେସରକାରୀ ଅଂଶଗ୍ରହଣରେ ବୃଦ୍ଧି ଏବଂ ସରକାରଙ୍କ ନୀତିଗତ ସହଯୋଗ ଭାରତର ନୂତନ ଶିଳ୍ପ କ୍ଷେତ୍ରଗୁଡ଼ିକର ବିସ୍ତାରକୁ ତ୍ୱରାନ୍ୱିତ କରୁଛି ବୋଲି ଜେଫ୍ରିଜ୍‌ କହିଛି। ଏହା ଦେଶର ଘରୋଇ ଉତ୍ପାଦନ କ୍ଷମତା ଓ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ଆହୁରି ସୁଦୃଢ଼ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande