
କାଠମାଣ୍ଡୁ, ସେପ୍ଟେମ୍ବର ୧୦ (ହି.ସ.) - ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିପୁଳ ପରିମାଣର ବିଦେଶୀ ମୁଦ୍ରା ସହ ଜଣେ ଭାରତୀୟ ନାଗରିକଙ୍କୁ ନେପାଳ ପୋଲିସ ଗିରଫ କରିଛି।
ଗୌଚର ବିମାନ ବନ୍ଦର ସୁରକ୍ଷା କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ସେପ୍ଟେମ୍ବର ୯ ତାରିଖ ରାତି ପ୍ରାୟ ୧୧ଟା ୨୪ ମିନିଟରେ କାଠମାଣ୍ଡୁରୁ ଭାରତର ବେଙ୍ଗାଲୁରୁ ଯାଉଥିବା ନେପାଳ ଏୟାରଲାଇନ୍ସ ବିମାନ ଆରଏ୨୨୫ ଉଡ଼ାଣ ପାଇଁ ପ୍ରସ୍ତୁତି କରୁଥିବା ଭାରତୀୟ ନାଗରିକ ଜଗଦୀଶ ମୋହନ ରାଓଙ୍କୁ ବିମାନ ବନ୍ଦରର ଏକ୍ସ-ରେ ବ୍ୟାଗେଜ୍ ଯାଂଚ ଅଂଚଳରେ ଖୋଜାଖୋଜି ସମୟରେ ଗିରଫ କରାଯାଇଥିଲା।
ପୋଲିସ କହିବା ଅନୁଯାୟୀ, ତାଙ୍କ ବ୍ୟାଗରୁ ୬୩୫,୦୦୦ ଟଙ୍କା ମୂଲ୍ୟର ଭାରତୀୟ ମୁଦ୍ରା, ୬୩୫ ୟୁଆନ୍ ମୂଲ୍ୟର ଚୀନ୍ ମୁଦ୍ରା, ୧୦ ଆମେରିକୀୟ ଡଲାର, ଭିଏତନାମର ମୁଦ୍ରା ୧.୩୬୮,୦୦୦ ଡୋଙ୍ଗ ଏବଂ ୧,୭୦୦ ବାହଟ୍ ମୂଲ୍ୟର ଥାଇ ମୁଦ୍ରା ଉଦ୍ଧାର କରାଯାଇଛି।
ବେଆଇନ ଉପାୟରେ ବିଦେଶୀ ମୁଦ୍ରା ଲୁଚାଇ ରଖିବା ପାଇଁ ଉଦ୍ୟମ କରାଯାଉଛି ବୋଲି ପୋଲିସ କହିଛି। ଉଦ୍ଧାର ହୋଇଥିବା ମୁଦ୍ରା ସହିତ ଭାରତୀୟ ନାଗରିକଙ୍କୁ ଅଧିକ ତଦନ୍ତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପତି ଶୁଦ୍ଧିକରଣ ଅନୁସନ୍ଧାନ ବିଭାଗକୁ ପଠାଯାଇଛି। ନେପାଳ ପୋଲିସ ଅନୁଯାୟୀ, ପ୍ରଚଳିତ ଆଇନ ଅନୁଯାୟୀ ଏହି ମାମଲାରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ