ଜନସେବା ଓ ସଂସଦୀୟ ଉତ୍କର୍ଷର ସ୍ୱୀକୃତି: ସାଂସଦ ରତ୍ନ-୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସପ୍ତଗିରି ଶଙ୍କର ଉଲାକା
ଜୟପୁର, 10 ସେପ୍ଟେମ୍ବର (ହି.ସ.) କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକା ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ କମିଟିର ଉତ୍କୃଷ୍ଟ ସଂସଦୀୟ କାର୍ଯ୍ୟଦକ୍ଷତା ପାଇଁ ସମ୍ମାନଜନକ ‘ସାଂସଦ ରତ୍ନ ପୁରସ୍କାର ୨୦୨୬’ ଗ୍ରହଣ କରିଛନ୍ତି। ୯ ସେପ
ଜନସେବା ଓ ସଂସଦୀୟ ଉତ୍କର୍ଷର ସ୍ୱୀକୃତି: ସାଂସଦ ରତ୍ନ-୨୦୨୬  ସମ୍ମାନରେ ସମ୍ମାନିତ ହେଲେ ସପ୍ତଗିରି ଶଙ୍କର ଉଲାକା


ଜୟପୁର, 10 ସେପ୍ଟେମ୍ବର (ହି.ସ.) କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକା ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ କମିଟିର ଉତ୍କୃଷ୍ଟ ସଂସଦୀୟ କାର୍ଯ୍ୟଦକ୍ଷତା ପାଇଁ ସମ୍ମାନଜନକ ‘ସାଂସଦ ରତ୍ନ ପୁରସ୍କାର ୨୦୨୬’ ଗ୍ରହଣ କରିଛନ୍ତି। ୯ ସେପ୍ଟେମ୍ବର ୨୦୨୬ରେ ନୂଆଦିଲ୍ଲୀଠାରେ ଆୟୋଜିତ ୧୬ତମ ସାଂସଦ ରତ୍ନ ପୁରସ୍କାର ସମାରୋହରେ ଶ୍ରୀ ଉଲାକା ଏହି ସମ୍ମାନ ଗ୍ରହଣ କରିଥିଲେ। ଚଳିତ ବର୍ଷ ଉତ୍କୃଷ୍ଟ ସଂସଦୀୟ କାର୍ଯ୍ୟଦକ୍ଷତା ପାଇଁ ସମ୍ମାନିତ ହୋଇଥିବା ଚାରିଟି ସଂସଦୀୟ କମିଟି ମଧ୍ୟରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ସ୍ଥାୟୀ କମିଟି ଅନ୍ୟତମ। ଶ୍ରୀ ଉଲାକାଙ୍କ ଅଧ୍ୟକ୍ଷତାରେ ଏହି କମିଟି ସଂସଦୀୟ ଯାଞ୍ଚ ଓ ନିରୀକ୍ଷଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ରେକର୍ଡ ବଜାୟ ରଖିଛି। ୧୮ତମ ଲୋକସଭା କାର୍ଯ୍ୟକାଳରେ କମିଟି ଏପର୍ଯ୍ୟନ୍ତ ସଂସଦରେ ୪୧ଟି ରିପୋର୍ଟ ଉପସ୍ଥାପନ କରିଛି। ଏହି ରିପୋର୍ଟଗୁଡ଼ିକରେ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ, ଗ୍ରାମୀଣ ନିଯୁକ୍ତି ଓ ଜୀବିକା, ଗ୍ରାମୀଣ ସଡ଼କ, ଜମି ପରିଚାଳନା, ଆଦିବାସୀ ଅଧିକାର ଏବଂ ତୃଣମୂଳସ୍ତରୀୟ ଗଣତନ୍ତ୍ର ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ସ୍ଥାନ ପାଇଛି।

ପୁରସ୍କାର ଗ୍ରହଣ ପରେ ନିଜର କୃତଜ୍ଞତା ଜଣାଇ ଶ୍ରୀ ଉଲାକା କହିଛନ୍ତି ଯେ “ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ ‘ସାଂସଦ ରତ୍ନ ପୁରସ୍କାର ୨୦୨୬’ ଗ୍ରହଣ କରି ମୁଁ ଅତ୍ୟନ୍ତ ଗୌରବାନ୍ୱିତ। ଏହି ସମ୍ମାନ କେବଳ ମୋର ବ୍ୟକ୍ତିଗତ ସଫଳତା ନୁହେଁ; ଏହା କମିଟିର ସମସ୍ତ ସଦସ୍ୟଙ୍କ ସାମୂହିକ ପରିଶ୍ରମ, ନିଷ୍ଠା ଓ ଅବଦାନର ସ୍ୱୀକୃତି। ଏଥିପାଇଁ ମୁଁ କମିଟିର ସମସ୍ତ ସଦସ୍ୟ, ଲୋକସଭା ସଚିବାଳୟର ଅଧିକାରୀ ଓ କର୍ମଚାରୀ, ତଥା ସମ୍ପୃକ୍ତ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକୁ ସେମାନଙ୍କର ସହଯୋଗ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛି।ସର୍ବୋପରି, ଏହି ସମ୍ମାନକୁ ମୁଁ ମୋର ପ୍ରିୟ କୋରାପୁଟବାସୀଙ୍କୁ ସମର୍ପିତ କରୁଛି। ସେମାନଙ୍କର ଭଲପାଇବା, ବିଶ୍ୱାସ ଓ ଆଶୀର୍ବାଦ ମୋର ସାର୍ବଜନୀନ ଜୀବନର ସବୁଠାରୁ ବଡ଼ ପ୍ରେରଣା। କୋରାପୁଟର ଲୋକଙ୍କ ସ୍ୱରକୁ ସଂସଦରେ ଉଠାଇବା ଏବଂ ସେମାନଙ୍କର ଅଧିକାର, ସମ୍ମାନ ଓ ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରିବା ମୋର ଦାୟିତ୍ୱ। ଜଣେ ସାଂସଦ ଭାବେ ମୁଁ ପାଉଥିବା ପ୍ରତ୍ୟେକ ସମ୍ମାନ ମୋତେ ଆହୁରି ଅଧିକ ଦାୟିତ୍ୱବାନ ଓ ଜନସେବା ପ୍ରତି ସମର୍ପିତ ହେବାକୁ ପ୍ରେରଣା ଦିଏ। ଏହି ସମ୍ମାନ ମୋର ନୁହେଁ ଏହା କୋରାପୁଟର ଜନସାଧାରଣଙ୍କର ସମ୍ମାନ ବୋଲି ଶ୍ରୀ ଉଲାକା ଉଲ୍ଲେଖ କରିଛନ୍ତି ।

କମିଟିର ରିପୋର୍ଟଗୁଡ଼ିକ ଗ୍ରାମୀଣ ଭାରତକୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରୁଥିବା ଅନେକ ପ୍ରମୁଖ ବିଷୟର ସମୀକ୍ଷା କରିଛି। ଏଥିରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ନିଶ୍ଚିତତା ଯୋଜନା, 'ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା , ଗ୍ରାମୀଣ ଜୀବିକା ଓ ଦକ୍ଷତା ବିକାଶ, ଜମି ଅଧିଗ୍ରହଣ ଓ ପୁନର୍ବାସ, ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ୍ ମଡର୍ନାଇଜେସନ୍ ପ୍ରୋଗ୍ରାମ୍ ଏବଂ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକାରିତା ଓ ସଶକ୍ତୀକରଣ ଭଳି ବିଷୟ ଅନ୍ତର୍ଭୁକ୍ତ। ଆଦିବାସୀ ଓ ଅନୁସୂଚିତ ଅଞ୍ଚଳଗୁଡ଼ିକ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଥିବା ବିଷୟରେ ମଧ୍ୟ କମିଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛି। ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ, ୧୯୯୬ ର ସମୀକ୍ଷା ସମ୍ପର୍କିତ କମିଟିର ରିପୋର୍ଟରେ ଗ୍ରାମସଭାକୁ ସଶକ୍ତ କରିବା ସହ ସାମୁଦାୟିକ ସମ୍ପଦ, ଜମି ଅଧିଗ୍ରହଣ ଏବଂ ସ୍ଥାନୀୟ ନିଷ୍ପତ୍ତି ଗ୍ରହଣରେ ଗ୍ରାମସଭାର ଭୂମିକାକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।ଏହା ସହିତ, ଭାରତୀୟ ସମ୍ବିଧାନର ୭୩ତମ ସଂଶୋଧନ କେତେଦୂର ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ ହୋଇଛି, ତାହା ମଧ୍ୟ କମିଟି ସମୀକ୍ଷା କରିଛି। ବିଶେଷକରି ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ପ୍ରକୃତ ଅର୍ଥରେ କାର୍ଯ୍ୟ, ଆର୍ଥିକ ସମ୍ବଳ ଓ କର୍ମଚାରୀଙ୍କ କ୍ଷମତା (ଫୁଂକ୍ସନ୍ସ , ଫାଇନାନ୍ସ ଆଣ୍ଡ ଫୁଂକ୍ସନାରିଏସ ) ହସ୍ତାନ୍ତର ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି।

କୋରାପୁଟ ଭଳି ଏକ ପ୍ରମୁଖ ଗ୍ରାମୀଣ ଓ ଆଦିବାସୀ ବହୁଳ ଲୋକସଭା ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରିବା ତାଙ୍କୁ ଗ୍ରାମୀଣ ଓ ଆଦିବାସୀ ସମୁଦାୟ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ନିକଟରୁ ବୁଝିବାର ସୁଯୋଗ ଦେଇଛି ବୋଲି ଶ୍ରୀ ଉଲାକା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ସଂସଦୀୟ କମିଟିଗୁଡ଼ିକର ଦାୟିତ୍ୱ କେବଳ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷାରେ ସୀମିତ ନୁହେଁ; ବରଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରି ନୀତି ଓ କାର୍ଯ୍ୟକ୍ରମଗୁଡ଼ିକ ଯେପରି ସାଧାରଣ ଲୋକଙ୍କ ପାଇଁ ଅଧିକ ଫଳପ୍ରଦ ହୋଇପାରିବ, ସେଥିପାଇଁ ମଧ୍ୟ କାର୍ଯ୍ୟ କରିବା। ରାଜନୈତିକ ମତଭେଦରୁ ଊର୍ଦ୍ଧ୍ୱରେ ରହି ଗ୍ରାମ, ପଞ୍ଚାୟତ, ଗ୍ରାମସଭା, ମହିଳା, କୃଷକ, ଶ୍ରମିକ, ଆଦିବାସୀ ଏବଂ ଅନ୍ୟାନ୍ୟ ବଞ୍ଚିତ ବର୍ଗଙ୍କ ସ୍ୱର ଯେପରି ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଯଥାର୍ଥ ସ୍ଥାନ ପାଇବ, ତାହା ସୁନିଶ୍ଚିତ କରିବା ଆମର ନିରନ୍ତର ପ୍ରୟାସ ରହିଛି।

'ସାଂସଦ ରତ୍ନ ପୁରସ୍କାର’ ୨୦୧୦ ମସିହାରେ ପ୍ରାଇମ୍ ପଏଣ୍ଟ ଫାଉଣ୍ଡେସନ୍ ପକ୍ଷରୁ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ପରାମର୍ଶକ୍ରମେ ପ୍ରତିଷ୍ଠା କରାଯାଇଥିଲା। ସଂସଦୀୟ କାର୍ଯ୍ୟଦକ୍ଷତା ସମ୍ପର୍କିତ ତଥ୍ୟ ଆଧାରରେ ସାଂସଦ ଏବଂ ସଂସଦୀୟ କମିଟିଗୁଡ଼ିକର ଉତ୍କୃଷ୍ଟ ପ୍ରଦର୍ଶନକୁ ଏହି ପୁରସ୍କାର ମାଧ୍ୟମରେ ସମ୍ମାନିତ କରାଯାଇଥାଏ। ୨୦୨୬ ମସିହାରେ ୧୨ ଜଣ ସାଂସଦ ଏବଂ ୪ଟି ସଂସଦୀୟ ସ୍ଥାୟୀ କମିଟି ‘ସାଂସଦ ରତ୍ନ ପୁରସ୍କାର’ ପାଇଁ ମନୋନୀତ ହୋଇଛନ୍ତି। ଶ୍ରୀ ଉଲାକାଙ୍କ ଅଧ୍ୟକ୍ଷତାରେ ଥିବା ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ସ୍ଥାୟୀ କମିଟି ଉତ୍କୃଷ୍ଟ ସଂସଦୀୟ କାର୍ଯ୍ୟଦକ୍ଷତା ପାଇଁ ସମ୍ମାନିତ ହୋଇଥିବା ଚାରିଟି କମିଟି ମଧ୍ୟରେ ଅନ୍ୟତମ। ଶ୍ରୀ ଉଲାକା ଓଡ଼ିଶାର କୋରାପୁଟ (ଏସ୍ଟି) ଲୋକସଭା ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଏବଂ ବର୍ତ୍ତମାନ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଗ୍ରାମୀଣ ଭାରତ, ଆଦିବାସୀ ସମୁଦାୟ ଓ ତୃଣମୂଳସ୍ତରୀୟ ଗଣତନ୍ତ୍ର ସହ ଜଡ଼ିତ ବିଷୟଗୁଡ଼ିକୁ ସଂସଦୀୟ ଆଲୋଚନା ଓ ନୀତି ନିର୍ଦ୍ଧାରଣରେ ପ୍ରମୁଖତା ଦେବା ତାଙ୍କର କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande