
ଜୟପୁର, ୧୦ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡର ନୂତନ ଉପଜିଲ୍ଲାପାଳ ଭାବେ ଆଇଏଏସ୍ ଅଧିକାରୀ ଶୁଭ୍ରା ପଣ୍ଡା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିବା ପରେ ପୂର୍ବତନ ଉପଜିଲ୍ଲାପାଳ ଯଦୁମଣି ନାଏକ, ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।
ଦାୟିତ୍ୱ ଗ୍ରହଣ ପରେ ନୂତନ ଉପଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ଉପଖଣ୍ଡର ପ୍ରଶାସନିକ କାର୍ଯ୍ୟଧାରା ଓ ପ୍ରାଥମିକତା ସମ୍ପର୍କରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଯେପରି ତୃଣମୂଳ ସ୍ତରରେ ଥିବା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ। ଜୟପୁର ଉପଖଣ୍ଡର ସାମଗ୍ରିକ ବିକାଶ ପାଇଁ ନୂତନ ଉପଜିଲ୍ଲାପାଳ ସାଧାରଣ ଜନତା, ଜନପ୍ରତିନିଧି ଓ ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି। ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନରେ ତ୍ୱରାନ୍ୱିତତା ଆଣିବା ସହ ଏହାର ବାସ୍ତବ ରୂପାୟନ ଉପରେ ନଜର ରଖାଯିବ। ସେହିପରି ସାଧାରଣ ଲୋକଙ୍କ ଅଭିଯୋଗ ଓ ସମସ୍ୟାର ତ୍ୱରିତ ଏବଂ ନିରପେକ୍ଷ ସମାଧାନକୁ ପ୍ରାଥମିକତା ଦିଆଯିବ। ଜନସାଧାରଣଙ୍କ ନିକଟରେ ପ୍ରଶାସନକୁ ଅଧିକ ଉତ୍ତରଦାୟୀ କରିବା ସହ ଅଭିଯୋଗର ଯଥାସମ୍ଭବ ଶୀଘ୍ର ଫଇସଲା ଉପରେ ଗୁରୁତ୍ୱ ରହିବ ବୋଲି ନୂତନ ଉପଜିଲ୍ଲାପାଳ କହିଥିଲେ। ଜୟପୁର ଉପଖଣ୍ଡ ଅଧୀନ ବିଭିନ୍ନ ବ୍ଲକ୍ ରେ ଚାଲିଥିବା ଉନ୍ନୟନମୂଳକ ପ୍ରକଳ୍ପର ନିୟମିତ ଅନୁଧ୍ୟାନ କରାଯିବ। ବିଶେଷକରି ସ୍ୱାସ୍ଥ୍ୟ, ଶିକ୍ଷା ଓ ଭିତ୍ତିଭୂମି କ୍ଷେତ୍ରରେ ଚାଲିଥିବା କାର୍ଯ୍ୟର ତଦାରଖ କରାଯାଇ ଗୁଣାତ୍ମକ ମାନ ଓ ସମୟବଦ୍ଧତା ଉପରେ ନଜର ରଖାଯିବ। ପ୍ରଶାସନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ସହ ସାଧାରଣ ଲୋକଙ୍କ ସହ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରାଯିବ ବୋଲି ସେ ପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି