ଖଡ଼ଗପୁର–ଝାରସୁଗୁଡ଼ା ୪ର୍ଥ ରେଳ ଲାଇନ୍ କୁ କ୍ୟାବିନେଟ୍ ମଞ୍ଜୁରି
Cabinet approves 4th lane
ଖଡ଼ଗପୁର–ଝାରସୁଗୁଡ଼ା ୪ର୍ଥ ରେଳ ଲାଇନ୍ କୁ କ୍ୟାବିନେଟ୍ ମଞ୍ଜୁରି


ଝାରସୁଗୁଡ଼ା, ୧୦ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ରେଳ ଯୋଗାଯୋଗ ଓ ମାଲ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଖଡ଼ଗପୁର–ଝାରସୁଗୁଡ଼ା (ବାଗଡ଼ିହି) ୪ର୍ଥ ରେଳ ଲାଇନ୍ ସମେତ ଦେଶର ୩ଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏହି ୩ଟି ପ୍ରକଳ୍ପ ପାଇଁ ମୋଟ ୧୦,୭୮୩ କୋଟି ଟଙ୍କା ବ୍ୟୟ ହେବ।

ଏଥିମଧ୍ୟରୁ ଖଡ଼ଗପୁର–ଝାରସୁଗୁଡ଼ା (ବାଗଡ଼ିହି) ମଧ୍ୟରେ ୩୬୭ କିଲୋମିଟର ଦୀର୍ଘ ୪ର୍ଥ ରେଳ ଲାଇନ୍ ନିର୍ମାଣ ପାଇଁ ପ୍ରାୟ ୬,୫୨୮ କୋଟି ଟଙ୍କା ବ୍ୟୟ ହେବ। ଏହି ପ୍ରକଳ୍ପ ଓଡ଼ିଶାର ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ମୋଟ ୮ଟି ଜିଲ୍ଲାକୁ ରେଳ ନେଟୱର୍କ ସହ ଯୋଡ଼ିବ। ଝାରସୁଗୁଡ଼ା ଏକ ପ୍ରମୁଖ ରେଳ ଓ ଶିଳ୍ପ କେନ୍ଦ୍ର ହୋଇଥିବାରୁ ଏହି ଚତୁର୍ଥ ରେଳ ଲାଇନ୍ ନିର୍ମାଣ ଦ୍ୱାରା ରେଳ ଚଳାଚଳ କ୍ଷମତା ବୃଦ୍ଧି ପାଇବ। ବିଶେଷକରି କୋଇଲା, ଲୁହାପଥର, ସିମେଣ୍ଟ, ଇସ୍ପାତ ଓ ଅନ୍ୟାନ୍ୟ ଶିଳ୍ପ ସାମଗ୍ରୀ ପରିବହନ ଅଧିକ ସୁଗମ ହେବ। ମାଲବାହୀ ଟ୍ରେନ୍ ଚଳାଚଳରେ ଗତି ଆସିବା ସହ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ମଧ୍ୟ ଅଧିକ ସୁବ୍ୟବସ୍ଥିତ ହେବ ବୋଲି ଆଶା କରାଯାଉଛି।

ସାଂସଦ ପ୍ରଦୀପ ପୁରୋହିତ ଏହି ମଞ୍ଜୁରି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ପ୍ରକଳ୍ପ ପଶ୍ଚିମ ଓଡ଼ିଶାର ରେଳ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ସହ ଶିଳ୍ପ ଓ ବ୍ୟବସାୟର ବିକାଶରେ ସହାୟକ ହେବ ବୋଲି ସେ କହିଛନ୍ତି।

ସାଂସଦଙ୍କ ସୂଚନାନୁସାରେ, ପ୍ରକଳ୍ପ ଦ୍ୱାରା ପ୍ରାୟ ୧୨୫ ଲକ୍ଷ ମାନବ-ଦିବସର ରୋଜଗାର ସୁଯୋଗ ସୃଷ୍ଟି ହେବ। ଏଥିସହ ପରିବହନ ଖର୍ଚ୍ଚରେ ବାର୍ଷିକ ୯୬୭ କୋଟିରୁ ଅଧିକ ଟଙ୍କା ସଞ୍ଚୟ ହେବା ସହ ପରିବେଶ ସୁରକ୍ଷାରେ ମଧ୍ୟ ଏହା ସହାୟକ ହେବ। କେନ୍ଦ୍ର ସରକାରଙ୍କ ଅନୁସାରେ, ୩ଟି ମଲ୍ଟିଟ୍ରାକିଂ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୬୫୬ କିଲୋମିଟର ରେଳ ନେଟୱର୍କର କ୍ଷମତା ବୃଦ୍ଧି ପାଇବ। ପାଞ୍ଚଟି ରାଜ୍ୟର ୧୪ଟି ଜିଲ୍ଲାର ପ୍ରାୟ ୪,୭୯୦ଟି ଗାଁ ଓ ୫୬ ଲକ୍ଷ ଲୋକ ଉନ୍ନତ ରେଳ ଯୋଗାଯୋଗର ସୁବିଧା ପାଇବେ। ଏଥିସହ ପ୍ରାୟ ୨୭ ଏମ୍ଟିପିଏ ଅତିରିକ୍ତ ମାଲ ପରିବହନ କ୍ଷମତା ବିକଶିତ ହେବ। ଏହା ଅଞ୍ଚଳର ବାଣିଜ୍ୟ, ଶିଳ୍ପ, ରୋଜଗାର ଓ ଆର୍ଥିକ କାର୍ଯ୍ୟକଳାପକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande