
ଭୁବନେଶ୍ୱର, ୧୦ ସେପ୍ଟେମ୍ବର (ହି.ସ.)- ଭୀଷଣ ବର୍ଷା ସମ୍ଭାବନା ନେଇ ଆଗାମୀ ୩ ଦିନ ଅର୍ଥାତ୍ ୧୦ ତାରିଖ ସକାଳ ଠାରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ଅତ୍ୟଧିକ ଭୀଷଣ ବର୍ଷା ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୨ ଜିଲ୍ଲା (କନ୍ଧମାଳ, କଳାହାଣ୍ଡି)କୁ ରେଡ୍ ୱାର୍ଣ୍ଣିଂ, ଭୀଷଣରୁ ଅତି ଭୀଷଣ ବର୍ଷା ସମ୍ଭାବନା ନେଇ ୫ ଜିଲ୍ଲା(ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର)କୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଭୀଷଣ ବର୍ଷା ସମ୍ଭାବନା ନେଇ ୧୫ ଜିଲ୍ଲା(କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, ବଲାଙ୍ଗିର, ନୂଆପଡା, ମାଲକାନଗିରି)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ୧୨ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ଏବଂ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ ।
ଅନୁରୂପ ଭାବେ ୧୧ ତାରିଖ ସକାଳ ଠାରୁ ୧୨ ତାରିଖ ସକାଳ ପର୍ଯ୍ୟନ୍ତ ଭୀଷଣରୁ ଅତି ଭୀଷଣ ବର୍ଷା ସମ୍ଭାବନା ନେଇ ୩ ଜିଲ୍ଲା(କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଭୀଷଣ ବର୍ଷା ସମ୍ଭାବନା ନେଇ ୭ ଜିଲ୍ଲା(ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ବଲାଙ୍ଗିର, ନୂଆପଡା, ମାଲକାନଗିରି)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ୧୨ ତାରିଖ ସକାଳ ଠାରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ୪ ଜିଲ୍ଲା(ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପରବର୍ତୀ ୪ ଦିନ ପାଇଁ ରାଜ୍ୟର ଜିଲ୍ଲାଗୁଡିକ ପାଇଁ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ