
ଝାରସୁଗୁଡ଼ା, ୧୦ ସେପ୍ଟେମ୍ବର (ହି.ସ.)- ଜିଲ୍ଲାରେ ଅବସ୍ଥିତ ସରକାରୀ ଆଇଟିଆଇ ପରିସରରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ପରିଚାଳନା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସମୀକ୍ଷା ବୈଠକରେ ଅନୁଷ୍ଠାନର ଶିକ୍ଷାଦାନର ଅଗ୍ରଗତି, ଆଇନଗତ ମଞ୍ଜୁରୀ, କ୍ୟାମ୍ପସ ଜମି ନିୟମିତକରଣ ଏବଂ ଭିତ୍ତିଭୂମି ଉନ୍ନୟନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ପାଇଁ ନିୟମିତ ଶିଳ୍ପ ପରିଦର୍ଶନ, କ୍ୟାମ୍ପସ ପ୍ଲେସମେଣ୍ଟ ଡ୍ରାଇଭ୍, ପ୍ରଶିକ୍ଷକମାନଙ୍କ ତାଲିମ ଏବଂ ସିଏସ୍ଆର୍ ପାଣ୍ଠି ସହାୟତା ପାଇଁ ଏକ ଦୃଢ଼ ଇଣ୍ଡଷ୍ଟ୍ରି କନେକ୍ଟ ବ୍ୟବସ୍ଥା ଗଢ଼ି ତୋଳିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ବିଚାରବିମର୍ଶ କରାଯାଇଥିଲା। ଏହାପରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ୱେଷ୍ଟ ଟୁ ୱେଲ୍ଥ’ (ବର୍ଜ୍ୟରୁ ସମ୍ପଦ) କୌଶଳରେ ନିର୍ମିତ ଏକ ଆକର୍ଷଣୀୟ ପ୍ରଭୁ ଶ୍ରୀଗଣେଶଙ୍କ ମୂର୍ତ୍ତିକୁ ଜିଲ୍ଲାପାଳ ଉନ୍ମୋଚନ କରିଥିଲେ। ଶିଳ୍ପ ଓ ଅଟୋମୋବାଇଲର ବର୍ଜ୍ୟ ସାମଗ୍ରୀକୁ ମାନୁଆଲ୍ ମିଗ୍ ୱେଲ୍ଡିଂ ଏବଂ ଅତ୍ୟାଧୁନିକ ‘ଏବିବି ୬-ଆକ୍ସିସ୍ ରୋବୋଟିକ୍ସ’ ପ୍ରଯୁକ୍ତିବିଦ୍ୟାର ମିଶ୍ରଣରେ ଏହି ମୂର୍ତ୍ତି ତିଆରି କରାଯାଇଛି। ଛାତ୍ରଛାତ୍ରୀଙ୍କ ଏହି ଅଭିନବ ପ୍ରୟାସ ଓ ପ୍ରତିଭାକୁ ଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ।
ଉକ୍ତ ବୈଠକରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ, ପୂର୍ତ୍ତ ବିଭାଗର ଏସ୍ଡିଓ ଓ କନିଷ୍ଠ ଯନ୍ତ୍ରୀ, ଜେଇଏସ୍ ଝାରସୁଗୁଡ଼ାର ଅଧ୍ୟକ୍ଷ, ସରକାରୀ ଆଇଟିଆଇର ଅଧ୍ୟକ୍ଷ ତଥା ତାଲିମ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ