
ଭୁବନେଶ୍ୱର, 10 ସେପ୍ଚେମ୍ବର (ହି.ସ.) ରାଜ୍ୟରେ ଚାଷୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଏବଂ ସ୍ଥାନୀୟ ଦେଶୀ ଖାଦ୍ୟଶସ୍ୟର ବିଶ୍ୱସ୍ତରୀୟ ବ୍ରାଣ୍ଡିଂ ପାଇଁ ଓଡ଼ିଶା ସରକାର ଏକ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ (କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି) ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ (ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ), ଫିଲିପାଇନ୍ସ ସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ର ମୁଖ୍ୟ ବୈଜ୍ଞାନିକ ଡ. ନେସେ ଶ୍ରୀନିବାସୁଲୁ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ୍ ରାମଚନ୍ଦ୍ର ଜାଧବ ଏବଂ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ମାନସୀ ନିମ୍ଭାଲଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅନୁଷ୍ଠିତ ହୋଇଯାଇଛି। ୩,୮୪୫ ବର୍ଗ ମିଟର ପରିମିତ ଅଞ୍ଚଳରେ ନିର୍ମିତ ହେବାକୁ ଥିବା ଏହି କାରଖାନାଟି ଚାଷୀ, କୃଷକ ଉତ୍ପାଦକ ସଂଗଠନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବେସରକାରୀ ସହଯୋଗୀ ଏବଂ ସରକାରୀ ଅନୁଷ୍ଠାନଗୁଡ଼ିକର ମିଳିତ ସହଯୋଗରେ ପରିଚାଳିତ ହେବ।
ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଚାଷୀମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଓ ଉନ୍ନତ ମାନର ଦେଶୀ ବିହନ ପ୍ରଦାନ ସହ ସିଧାସଳଖ ବଜାର ସଂଯୋଗ ଯୋଗାଇଦେଇ ସେମାନଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା। ଏହି ପ୍ରକଳ୍ପ ଅଧୀନରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ (Low-GI), ଉଚ୍ଚ ପ୍ରୋଟିନ୍ ଯୁକ୍ତ, ମିଲିଂ କ୍ଷମତା, ସୁଗନ୍ଧ ଥିବା ୨୯ଟି ସ୍ଥାନୀୟ ଦେଶୀ ଧାନ କିସମର ଗୁଣବତ୍ତା ପରୀକ୍ଷା କରାଯାଇଛି। ବିଶେଷ କରି କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଚାଉଳ, କଳାଜିରା ଧାନ ଏବଂ ରପ୍ତାନି ଉଦ୍ଦେଶ୍ୟରେ ସ୍ୱତନ୍ତ୍ର କଳା ଚାଉଳ (Black Rice) ପ୍ରକ୍ରିୟାକରଣ ପାଇଁ ସ୍ୱତନ୍ତ୍ର ୟୁନିଟ୍ ସ୍ଥାପନ ଯୋଜନା ରହିଛି।
କେବଳ ଚାଉଳ ପ୍ରସେସିଂ ନୁହେଁ, ବରଂ ମଲ୍ଟି-ମିଲେଟ୍ ଫ୍ଲେକ୍ସ, ମୋଟା IRRI-୧୪୭ ଚାଉଳ ଫ୍ଲେକ୍ସ, ଜିରା କୁକିଜ୍ ଏବଂ ଅନ୍ୟାନ୍ୟ ବେକରୀ ସାମଗ୍ରୀ ପ୍ରସ୍ତୁତ କରାଯାଇ 'ସୁଭଦ୍ରା ଶକ୍ତି ବଜାର' ମାଧ୍ୟମରେ ବିକ୍ରି କରାଯିବ ଏବଂ ଦେଶ ବିଦେଶରେ ଏହାକୁ ବିକ୍ରୟ ପାଇଁ ପଠାଯିବ। ଆଧୁନିକ ଶିଳ୍ପ ଭିତ୍ତିଭୂମି ଓ କମ୍ୟୁନିଟି ଭାଗୀଦାରିର ଏହି ମିଳିତ ପ୍ରଚେଷ୍ଟା ଓଡ଼ିଶାର କୃଷି ଉତ୍ପାଦଗୁଡ଼ିକୁ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ଦେବା ସହ ସ୍ଥାନୀୟ ଚାଷୀ ଓ ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ