
ଝାରସୁଗୁଡ଼ା, ୧୧ ସେପ୍ଟେମ୍ବର (ହି.ସ.)- ଶିକ୍ଷା ବିଭାଗର ଆନୁକୂଲ୍ୟରେ ଝାରସୁଗୁଡ଼ା ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସମୂହ ସଂଗଠନ ପକ୍ଷରୁ ଆୟୋଜିତ ୩ ଦିନିଆ ଆବାସିକ ଶାରୀରିକ ଶିକ୍ଷା ଶିକ୍ଷକ-ଶିକ୍ଷୟିତ୍ରୀ ଅଭିମୁଖୀକରଣ ଶିବିର ଆଜି ଉଦଯାପିତ ହୋଇଛି। ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ-ଶିକ୍ଷୟିତ୍ରୀମାନେ ଯୋଗଦେଇ ବିଭିନ୍ନ ନୂତନ ଓ ଉଦୀୟମାନ କ୍ରୀଡ଼ାର ନିୟମ, କୌଶଳ, ପ୍ରଶିକ୍ଷଣ ପଦ୍ଧତି, ଅଫିସିଏଟିଂ ଏବଂ ବିଦ୍ୟାଳୟ ସ୍ତରରେ କ୍ରୀଡ଼ା ପରିଚାଳନା ସମ୍ପର୍କରେ ବ୍ୟବହାରିକ ଜ୍ଞାନ ଓ ଦକ୍ଷତା ହାସଲ କରିଥିଲେ।
ଉଦଯାପନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସମୂହ ସଂଗଠନର ସଭାପତି ଡ଼. ରାଧାକାନ୍ତ ଗର୍ତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କିରମିରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନାରାୟଣ ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ଶାରୀରିକ ଶିକ୍ଷାର ଗୁରୁତ୍ୱ, ବିଦ୍ୟାଳୟ ସ୍ତରରେ କ୍ରୀଡ଼ାର ବିକାଶ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଶିକ୍ଷଣରୁ ହାସଲ କରିଥିବା ଜ୍ଞାନ ଓ ଦକ୍ଷତାକୁ ବିଦ୍ୟାଳୟ ସ୍ତରରେ ପ୍ରୟୋଗ କରି ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ପ୍ରତି ଅଧିକ ଆକୃଷ୍ଟ କରିବାକୁ ସେମାନେ ଆହ୍ୱାନ ଜଣାଇଥିଲେ।ଶିବିରରେ ଯୋଗଦେଇଥିବା ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରି ସୁଶାନ୍ତ ବେହେରା ସମଗ୍ର ଅଭିମୁଖୀକରଣ କାର୍ଯ୍ୟକ୍ରମର ପ୍ରତ୍ୟେକ ପର୍ଯ୍ୟାୟର ତଦାରଖ କରିଥିଲେ। ଜିଲ୍ଲାର ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ ଫଳରେ ଏହି ଅଭିମୁଖୀକରଣ ଶିବିର ସଫଳତାର ସହ ସମ୍ପନ୍ନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ