ଆମ ସାଥୀ ହ୍ୱାଟ୍ସଆପ୍ ବଟ୍ ରେ ମିଳିବ ୧୪ଟି ପୋଲିସ ସେବା
ଜ ଭୁବନେଶ୍ୱର, ୧୧ ସେପ୍ଟେମ୍ବର (ହି.ସ)- ପୋଲିସ ତରଫରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଜରୁରୀ ସେବା ପ୍ରାପ୍ତି ନିମନ୍ତେ ପୋଲିସ ଥାନା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡିବ ନାହିଁ । ପୋଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ-କେନ୍ଦ୍ରିକ ଓ ତ୍ୱରିତ ସେ
c


ଭୁବନେଶ୍ୱର, ୧୧ ସେପ୍ଟେମ୍ବର (ହି.ସ)- ପୋଲିସ ତରଫରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଜରୁରୀ ସେବା ପ୍ରାପ୍ତି ନିମନ୍ତେ ପୋଲିସ ଥାନା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡିବ ନାହିଁ । ପୋଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ-କେନ୍ଦ୍ରିକ ଓ ତ୍ୱରିତ ସେବା ଯୋଗାଇ ଦେବାକୁ ଓଡିଶା ପୋଲିସ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଏଣିକି ଘରେ ବସି ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ ମାଧ୍ୟମରେ ସାଧାରଣ ଲୋକମାନେ ୧୪ଟି ପୋଲିସ-ନାଗରିକ ସେବା ପାଇପାରିବେ। ଡିଜିପି ଶ୍ରୀ ବିନୟତୋଷ ମିଶ୍ର ଶୁକ୍ରବାର ଡିଜିପି କ୍ୟାମ୍ପ ଅଫିସ୍, ଭୁବନେଶ୍ୱରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୫ ଡିସେମ୍ବର ୨୦୨୫, ସୁଶାସନ ଦିବସ ଅବସରରେ ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ ର ଶୁଭାରମ୍ଭ କରିଥିଲେ। ଏହା ମାଧ୍ୟମରେ ବିଭିନ୍ନ ସରକାରୀ ସେବା ଲୋକଙ୍କ ନିକଟରେ ପହଂଚାଇବାକୁ ଲକ୍ଷ୍ୟ ରଖାଯାଇଛି ।

ଓଡ଼ିଶା ସରକାରଙ୍କ ସେଂଟର ଫର ମର୍ଡନାଇଜିଂ ଗର୍ଭନମେଂଟ ଇନିସିଏଯିଭ୍ (ସିଏମଜିଆଇ), ଏସସିଆରବି, ଓଡ଼ିଶା ପୋଲିସ ଏବଂ ମେଟା ଇଣ୍ଡିଆ (ହ୍ୱାଟସ୍ଆପ୍ )ର ସହଭାଗିତାରେ ‘ଆମ ସାଥୀ’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ଜନ ସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ବିକଶିତ କରାଯାଇଛି। ଓଡ଼ିଶା ସରକାରଙ୍କ ନାଗରିକ-କେନ୍ଦ୍ରିକ ଡିଜିଟାଲ୍ ସୁଶାସନ ପଦକ୍ଷେପ ଅଧୀନରେ ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍’ରେ ଏହି ସେବାଗୁଡ଼ିକୁ ଯୋଡ଼ାଯାଇଛି।ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (ଏସସିଆରବି), ଓଡ଼ିଶା ପୋଲିସ ପକ୍ଷରୁ ଏଥିପାଇଁ ଆବଶ୍ୟକୀୟ ବୈଷୟିକ ସମନ୍ୱୟ ସମ୍ପୂର୍ଣ୍ଣ କରାଯାଇଛି।

ଗୃହ ବିଭାଗର ୟୁନିଫାଏଡ୍ ପ୍ଲାଟଫର୍ମର ଓଆରଟିପିଏସଏ ଅଧୀନରେ ୧୪ଟି ପୋଲିସ-ନାଗରିକ ସେବା ଏବେ ‘ଆମ ସାଥୀ’ ସହ ସମନ୍ୱିତ ହୋଇଛି।ନାଗରିକମାନେ ଏହି ବ୍ୟବସ୍ଥା ମାଧ୍ୟମରେ ଘରେ ବସି ଆବଶ୍ୟକୀୟ ପୋଲିସ ସେବା ପାଇଁ ଆବେଦନ କରିପାରିବେ। ଆବଶ୍ୟକ ତଥ୍ୟ ଓ ଦଲିଲ୍ ଦାଖଲ କରିବା ସହ ଆବେଦନର ସ୍ଥିତି ମଧ୍ୟ ଜାଣିପାରିବେ। ଯେଉଁ ସେବାରେ ଡିଜିଟାଲ୍ ଦଲିଲ୍ ପ୍ରଦାନର ବ୍ୟବସ୍ଥା ରହିଛି, ସେଠାରେ ଅନୁମୋଦିତ ଦଲିଲ୍ ମଧ୍ୟ ହ୍ୱାଟ୍ସଆପ୍ ରେ ପାଇପାରିବେ।

ହ୍ୱାଟ୍ସଆପ୍ରେ ମିଳିବାକୁ ଥିବା ପୋଲିସ ସେବାଗୁଡିକ ହେଲା ୧. ଚରିତ୍ର ପ୍ରମାଣପତ୍ର,୨. ବରିଷ୍ଠ ନାଗରିକ ପଞ୍ଜୀକରଣ ,୩. କର୍ମଚାରୀ ସତ୍ୟାପନ ,୪. ହଜିଯାଇଥିବା ସମ୍ପତି/ଦଲିଲ୍ ସମ୍ପର୍କିତ ରିପୋର୍ଟ ,୫. ଲାଉଡ୍ସ୍ପିକର୍ ଅନୁମତି ପାଇଁ ଏନଓସି , ୬. ଭଡ଼ାଟିଆ/ପିଜି ସତ୍ୟାପନ , ୭. ହଜିଯାଇଥିବା ସମ୍ପତି ପଞ୍ଜୀକରଣ , ୮. ନିଖୋଜ ବ୍ୟକ୍ତି ସମ୍ପର୍କିତ ସୂଚନା ଓ ପଞ୍ଜୀକରଣ ,୯. ଅଭିଯୋଗ ପଞ୍ଜୀକରଣ ,୧୦. କର୍ମଚାରୀ/ଘରୋଇ ସହାୟକ ନିୟୋଜନ ସତ୍ୟାପନ ,୧୧. କାର୍ଯ୍ୟକ୍ରମ/ପ୍ରଦର୍ଶନ ପାଇଁ ଅନୁମତି , ୧୨. ଧାରଣା/ଧର୍ମଘଟ ପାଇଁ ଅନୁମତି, ୧୩. ଏଫଆଇଆରର ନକଲ ପ୍ରଦାନ ଏବଂ୧୪. ସଡ଼କ ଦୁର୍ଘଟଣା/ଚୋରି ଯାନବାହନ/ଚୋରି ମାମଲା ସମ୍ପର୍କିତ ଫାଇନାଲ ଫର୍ମର ନକଲ ପ୍ରଦାନ।

କିପରି ବ୍ୟବହାର କରିବେ ‘ଆମ ସାଥୀ’

୧. ‘ଆମ ସାଥୀ’ର ହ୍ୱାଟ୍ସଆପ୍ ନମ୍ବର ୯୪୩୭୨୯୨୦୦୦ ମୋବାଇଲ୍?ରେ ପଞ୍ଜିକୃତ କରି ‘ହାଏ’ ଲେଖି ପଠାନ୍ତୁ।୨. ଭାଷା ଚୟନ ପରେ ଉପଲବ୍ଧ ପୋଲିସ ସେବାଗୁଡ଼ିକର ତାଲିକା ଦେଖାଯିବ। ଆବଶ୍ୟକ ସେବା ଚୟନ କରନ୍ତୁ।୩. ସେବା ଅନୁଯାୟୀ ଆବଶ୍ୟକ ତଥ୍ୟ ଓ ଦଲିଲ୍ ହ୍ୱାଟ୍ସଆପ୍ ମାଧ୍ୟମରେ ଦାଖଲ କରନ୍ତୁ।୪. ତଥ୍ୟ ଓ ଦଲିଲ୍ ଦାଖଲ ପରେ ଆବେଦନଟି ସମ୍ପୃକ୍ତ ପୋଲିସ କାର୍ଯ୍ୟାଳୟ/କର୍ତୃପକ୍ଷଙ୍କ ନିକଟକୁ ପଠାଯିବ। ଏକ ରେଫରେନ୍ସ/ଆବେଦନ ନମ୍ବର ମିଳିବ। ୫. ରେଫରେନ୍ସ/ଆବେଦନ ନମ୍ବର ବ୍ୟବହାର କରି ହ୍ୱାଟ୍ସଆପ୍ରେ ଆବେଦନର ସ୍ଥିତି ଜାଣିପାରିବେ।୬. ପ୍ରକ୍ରିୟା ସମାପ୍ତ ପରେ, ଯେଉଁ ସେବାରେ ଡିଜିଟାଲ୍ ଦଲିଲ୍ ପ୍ରଦାନର ସୁବିଧା ରହିଛି, ସେଠାରେ ଅନୁମୋଦିତ ଦଲିଲ୍ ହ୍ୱାଟ୍ସଆପ୍ ମାଧ୍ୟମରେ ପାଇପାରିବେ।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ(ଏସସିଆରବି) ଅବିନାଶ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପୋଲିସ କମିଶନର ଡ଼ଃ ଏସ. ଦେବଦତ ସିଂ, ଆଇଜି ଏସଟିଏଫ ହିମାଂଶୁ ଲାଲ, ଆଇଜି( ଇଣ୍ଟେଲିଜେନ୍ସ) ସତ୍ୟବ୍ରତ ଭୋଇ, ଆଇଜି ( କ୍ରାଇମବ୍ରାଂଚ) ଡ଼ଃ ସାର୍ଥକ ଷଡ଼ଙ୍ଗୀ, ସିଏମଜିଆଇ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଏସପି( କମ୍ପ୍ୟୁଟର )ଅମୁଲ୍ୟ ଧର ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande