
ଜୟପୁର, ୧୧ ସେପ୍ଟେମ୍ବର(ହି.ସ.) – ଜୟପୁର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ଓ କେବିଡି ପଂଚାୟତ ଅଂଚଳ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରିଛନ୍ତି ଜୟପୁର ବିଡିଓ ଶକ୍ତି ମହାପାତ୍ର। ପ୍ରଶାସନିକ ଅଧିକାରୀଙ୍କ ସହ ଶ୍ରୀ ମହାପାତ୍ର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ, ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଭିତିଭୂମି, କାର୍ଯ୍ୟର ଅଗ୍ରଗତି ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସରକାରୀ ଯୋଜନାର ସୁଫଳ ଯେପରି ଲୋକଙ୍କ ନିକଟରେ ସଠିକ୍ ଭାବେ ପହଂଚେ, ସେଥିପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ପରିଦର୍ଶନ ସମୟରେ କୁମୁଲିପୁଟସ୍ଥିତ ଏସ୍ଏସ୍ଡି ହାଇସ୍କୁଲ, ରାବଣାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବିଡିଓ ଶ୍ରୀ ମହାପାତ୍ର ପରିଦର୍ଶନ କରିଥିଲେ। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ, ଆବଶ୍ୟକୀୟ ସୁବିଧା ଓ ଭିତିଭୂମି ସମ୍ପର୍କରେ ସେ ଅବଗତ ହୋଇଥିଲେ। ରାବଣାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କେତେକ ପୁରୁଣା ଗୃହ ଜରାଜୀର୍ଣ୍ଣ ହୋଇପଡ଼ିଥିବାବେଳେ ନୂତନ ଶ୍ରେଣୀଗୃହ ମଞ୍ଜୁର ହୋଇଛି। ଏଥିପାଇଁ ସ୍ଥାନ ଚିହ୍ନଟ କରାଯାଇଥିବା ଏବଂ ବର୍ଷା ଋତୁ ଶେଷ ହେବା ପରେ ବିଦ୍ୟାଳୟର ସାମଗ୍ରିକ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଡିଓ ସୂଚନା ଦେଇଥିଲେ। ସେହିପରି ରାବଣାଗୁଡ଼ାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ବର୍ଷା ଋତୁରେ ଦେଖାଦେଇଥିବା ସମସ୍ୟା ଓ ଡାକ୍ତରଖାନାର ଭିତିଭୂମି ସମ୍ପର୍କରେ ଡାକ୍ତରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆବଶ୍ୟକ ମରାମତି କାର୍ଯ୍ୟ ପାଇଁ ରାସ୍ତା ଓ କୋଠାବାଡ଼ି ବିଭାଗ ସହ ସମନ୍ୱୟ କରାଯାଇ ବ୍ଲକ ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ କୁମୁଲିପୁଟ ପଂଚାୟତରେ ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଜମି ସମସ୍ୟା ମୁଖ୍ୟ ପ୍ରତିବନ୍ଧକ ସାଜିଛି। ଆମ୍ବାଗୁଡ଼ା ଅଂଚଳରେ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ପ୍ରାୟ ୯୦ ପ୍ରତିଶତ ଶେଷ ହୋଇଥିବା ବେଳେ କୁମୁଲିପୁଟରେ ସରକାରୀ ଜମି ଅଭାବରୁ ପ୍ରକଳ୍ପଟି ଆଗେଇ ପାରିନାହିଁ। ତହସିଲଦାର ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ କମିଟି ଗଠନ କରି ଜମି ଚିହ୍ନଟ ପ୍ରକ୍ରିୟା ଶୀଘ୍ର ଶେଷ କରାଯିବ। ଜମି ଚିହ୍ନଟ ପରେ ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ସମେତ ଅନ୍ୟାନ୍ୟ ବିକାଶ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ ବୋଲି ବିଡିଓ କହିଥିଲେ। କୁମୁଲିପୁଟ ଓ କେବିଡି ପଂଚାୟତର ବିଭିନ୍ନ କାର୍ଯ୍ୟସ୍ଥଳ ପରିଦର୍ଶନ ସମୟରେ ପ୍ରକଳ୍ପଗୁଡ଼ିକର ଗୁଣାତ୍ମକ ମାନ, ଅଗ୍ରଗତି ଓ ଲୋକଙ୍କ ପାଇଁ ଉପଯୋଗିତା ଯାଂଚ କରାଯାଇଥିଲା। ଏଥିସହ ପଂଚାୟତ ଅଂଚଳର ମୌଳିକ ସୁବିଧା, ଆବଶ୍ୟକତା ଓ ବିଭିନ୍ନ ସମସ୍ୟା ନେଇ ଅଧିକାରୀ ଓ କର୍ମଚାରୀଙ୍କ ସହ ବିଡିଓ ଆଲୋଚନା କରିଥିଲେ। ଅଂଚଳର ଆବଶ୍ୟକତାକୁ ଆଧାର କରି ଅଧିକ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେବା ସହ ସାଧାରଣ ଲୋକଙ୍କ ମୌଳିକ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି