
ଭୁବନେଶ୍ୱର, ୧୧ ସେପ୍ଟେମ୍ବର (ହି.ସ)- କମିସନରେଟ ପୋଲିସର ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ କମିସନରେଟ ପୋଲିସ ଅଂଚଳରେ ବିଗତ ଦିନର ଆଇନ-ଶୃଙ୍ଖଳା ପରିସ୍ଥିତି, ବିଧାନସଭା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ, ଅପରାଧ ନିୟନ୍ତ୍ରଣ, ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ, ଏନ୍ଡିପିଏସ୍ ଆଇନର କାର୍ଯ୍ୟକାରିତା, ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’, ଟ୍ରାଫିକ ସୁପରିଚାଳନା, ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା, ପୋଲିସ ଭିତିଭୂମି ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଡିଜିପି ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।
ଆଗାମୀ ଦିନରେ ବିଧାନସଭା ଅଧିବେଶନ ଅନୁଷ୍ଠିତ ହେବାକୁ ଥିବାରୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ଭାବ୍ୟ ଆନ୍ଦୋଳନ, ଧାରଣା, ଘେରାଉ ଭଳି କାର୍ଯ୍ୟକ୍ରମ ଉପରେ ସ୍ୱତନ୍ତ୍ର ନଜର ରଖିବା ସହ ଏଥି ନିମନ୍ତେ ଆଗୁଆ ପ୍ରସ୍ତୁତି ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।
ଆଗାମୀ ତିନି ମାସ ସମୟ ପାର୍ବଣର ଋତୁ ହୋଇଥିବାରୁ ଅପରାଧ ଏବଂ ଅପରାଧୀଙ୍କ ପ୍ରତି ସଜାଗ ରହିବାକୁ ଡିଜିପି ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ପର୍ବପର୍ବାଣୀକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ସମ୍ପନ୍ନ କରିବା ପାଇଁ ଏବେଠାରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ସମ୍ବେଦନଶୀଳ ସ୍ଥାନରେ ପର୍ଯ୍ୟାପ୍ତ ପୋଲିସ ମୁତୟନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ଶାନ୍ତି କମିଟି ବୈଠକ ଏବଂ ସ୍ଥାନୀୟ ଜନପ୍ରତିନିଧି, ବିଭିନ୍ନ ସଂଗଠନ ଓ ସମ୍ପ୍ରଦାୟର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହ ନିରନ୍ତର ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଶେଷକରି କଟକର ସମ୍ବେଦନଶୀଳ ଅଂଚଳଗୁଡ଼ିକରେ ପାର୍ବଣ ସମୟରେ ନିରନ୍ତର ନଜର ରଖି ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ ନେବା ସହ ଆବଶ୍ୟକତା ଅନୁଯାୟୀ ଫୋର୍ସ ମୁତୟନ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା।
ବୈଠକରେ ଅପରାଧ ନିୟନ୍ତ୍ରଣ ଦିଗରେ ଅଭ୍ୟାସଗତ ଓ ସଂଗଠିତ ଅପରାଧୀଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ, ଏନ୍ଡିପିଏସ୍ ଆଇନର କଡ଼ା ପ୍ରବର୍ତନ, ଅବକାରୀ ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବିରୋଧରେ ନିୟମିତ ଚଢ଼ାଉ ଓ ଯାଂଚ ଉପରେ ଗୁରୁତ୍ୱ ଦିଆଯାଇଥିଲା। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’କୁ ଆହୁରି ସଶକ୍ତ କରି ନିଶାଦ୍ରବ୍ୟର ଚୋରାଚାଲାଣ ଓ ନେଟୱର୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।
ସେହିପରି ସାଇବର ଅପରାଧ ଓ ମ୍ୟୁଲ୍ ଆକାଉଂଟ ମାଧ୍ୟମରେ ହେଉଥିବା ଅପରାଧ ଉପରେ ମଧ୍ୟ ବିଶେଷ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅପରାଧରେ ବ୍ୟବହୃତ ସନ୍ଦିଗ୍ଧ ବ୍ୟାଙ୍କ ଆକାଉଂଟ ଚିହ୍ନଟ, ଆବଶ୍ୟକ ମାମଲାଗୁଡ଼ିକୁ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକରଣ ଏବଂ ଅପରାଧୀ ନେଟୱର୍କ ବିରୋଧରେ ସମନ୍ୱିତ ତଦନ୍ତ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହା ବ୍ୟତୀତ ନୂଆ ଅପରାଧିକ ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା, ଫରେନସିକ୍ ସାଇନ୍ସ ଓ ବୈଜ୍ଞାନିକ ତଦନ୍ତ, ଫିଙ୍ଗରପ୍ରିଂଟ ସଂଗ୍ରହ, ଇ-ସମନ୍ସ ଓ ଇ-ସାଇନ୍ ର ବ୍ୟବହାରକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ପୋଲିସ କାର୍ଯ୍ୟକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ବଡି କ୍ୟାମେରା ଓ ଡ୍ୟାସ୍ ବୋର୍ଡ କ୍ୟାମେରାର ବ୍ୟବହାର ଉପରେ ମଧ୍ୟ ଡିଜିପି ଗୁରୁତ୍ୱାରୋପ କରିଥିଲେ।
ପୋଲିସ ଭିତିଭୂମିର ସମୀକ୍ଷା କରାଯାଇ ଭୁବନେଶ୍ୱର ଓ କଟକର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ଇଆରଏସଏସ୍ ଓ ଯାନବାହନ ସମ୍ପର୍କିତ ବ୍ୟବସ୍ଥାର ସମୀକ୍ଷା କରାଯାଇ ଆବଶ୍ୟକ ସୁଧାର ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତମ ସମନ୍ୱୟ ରଖିବା, ଥାନାସ୍ତରରେ ନିୟମିତ ପରିଦର୍ଶନ କରି ଜନସାଧାରଣଙ୍କ ଅଭିଯୋଗ ଶୁଣିବା ଏବଂ ଅପରାଧ ତଦନ୍ତ ଓ ପୋଲିସ ସେବା ପ୍ରଦାନର ଗୁଣବତା ବୃଦ୍ଧି କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ପୋଲିସ କମିଶନର (ଭୁବନେଶ୍ୱର-କଟକ) ଡ଼ ଦେବଦତ ସିଂ, ଆଇଜିପି (ଇଓଡବ୍ଲୁ, ଭୁବନେଶ୍ୱର, ଏସଟିଏଫ) ଶ୍ରୀ ହିମାଂଶୁ କୁମାର ଲାଲ, ଆଇଜିପି (ଗୁଇନ୍ଦା) ଶ୍ରୀ ସତ୍ୟବ୍ରତ ଭୋଇ, ଆଇଜିପି (ଏସସିଆରବି) ଶ୍ରୀ ଅବିନାଶ କୁମାର, ଆଇଜିପି (କ୍ରାଇମବ୍ରାଞ୍ଚ) ଶ୍ରୀ ସାର୍ଥକ ଷଡଙ୍ଗୀ, ଡିସିପି (କଟକ) ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ, ଡିସିପି (ଭୁବନେଶ୍ୱର) ଶ୍ରୀ ଜଗମୋହନ ମୀନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା