
ଭଦ୍ରକ, ୧୧ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ସା’ନ ବଜାର ମୁଖ୍ୟ ରାସ୍ତା ଏବେ ଜଳବନ୍ଦୀ ସମସ୍ୟାର ଏକ କରୁଣ ଚିତ୍ର । ସାମାନ୍ୟ ବର୍ଷା ହେଲେ ଏହି ରାସ୍ତା ଉପରେ ପାଣି ଜମିରହି ଲହଡ଼ି ମାରୁଛି, ଯାହାଫଳରେ ସାଧାରଣ ଜନତା ଓ ଯାତ୍ରୀମାନେ ଅନେକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସରକାରୀ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତା ଯୋଗୁଁ ଜନସାଧାରଣଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି।ପ୍ରାୟ ଦୁଇ ବର୍ଷ ତଳେ ପୂର୍ତ ବିଭାଗ ପକ୍ଷରୁ ଏହି ରାସ୍ତା କଡ଼ରେ ଜଳ ନିଷ୍କାସନ ପାଇଁ ଏକ ଡ୍ରେନ୍ ନିର୍ମାଣ କରାଯାଇଥିଲା। କିନ୍ତୁ ନିର୍ମାଣ କାମରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା। ଫଳରେ ନିର୍ମାଣର କିଛି ଦିନ ନ ପୂରୁଣୁ ଡ୍ରେନ୍ଟି ବିଭିନ୍ନ ସ୍ଥାନରେ ଭାଙ୍ଗି ଏବଂ ପୋତି ହୋଇଯାଇଥିଲା। ଏହାର କୁପରିଣାମ ସ୍ୱରୂପ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ ଏବଂ ପାଣି ସିଧାସଳଖ ରାସ୍ତା ଉପରେ ଜମିରହି ପୋଖରୀର ଭ୍ରମ ସୃଷ୍ଟି କରୁଛି।ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଲା, ଲୋକମାନେ ଏପରି ନର୍କଯନ୍ତ୍ରଣା ଭୋଗୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କିମ୍ବା ଧାମନଗର ଏନଏସି କର୍ତୃପକ୍ଷ ଏହାର ସ୍ଥାୟୀ ସମଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଭଙ୍ଗା ଡ୍ରେନ୍ ମରାମତି ଦିଗରେ ବିଭାଗୀୟ କର୍ତୃପକ୍ଷ ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଛନ୍ତି।ଏହି ସମ୍ପର୍କରେ ପୂର୍ତ ବିଭାଗର ଯନ୍ତ୍ରୀ ଶ୍ରୀନିବାସ ମଲିକ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଉକ୍ତ ଡ୍ରେନ ଟି ବହୁ ଆଗରୁ ନିର୍ମାଣ ହୋଇଥିଲା ଏବଂ ଭବିଷ୍ୟତରେ ରାସ୍ତା ସମ୍ପ୍ରସାରଣ ହେଲେ ନୂତନ ଡ୍ରେନ୍ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯିବ। ତୁରନ୍ତ ଏହି ଡ୍ରେନ୍ ମରାମତି କରାଯାଇ ଜଳ ନିଷ୍କାସନର ସୁବ୍ୟବସ୍ଥା ନ କଲେ ଆଗାମୀ ଦିନରେ ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।ପ୍ରକାଶ ଥାଉ କି ଉକ୍ତ ରାସ୍ତା ଟି ଏକ ଜନଗହଳି ପୂର୍ଣ୍ଣ ରାସ୍ତା ଦୈନିକ ଶହ ଶହ ଲୋକ ଙ୍କ ଯାତାୟାତ ସ୍ଥଳ, ଏବେ ପିର ବାବା ଙ୍କ ବାର୍ଷିକ ଉତ୍ସବ ହେବ ପ୍ରାୟ ଲକ୍ଷ ଲକ୍ଷ୍ ଭକ୍ତ ଙ୍କ ସମାବେଶ ହେବ,ପାଖରେ ମଧ୍ୟ ଦୁର୍ଗା ପୂଜା ଓ ଗଣେଷ ପୂଜା ଏଠି ପ୍ରବଳ ଜନ ସମାଗମ ହେବ।ଏପରି ସ୍ଥଳେ ଉକ୍ତ ସ୍ଥାନରେ ଯଦି ଏମିତି ଅପରିଷ୍କାରରୁହେ ସାଧାରଣ ଲୋକ କାହାକୁ ଦାୟୀ କରିବେ। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ