
ଝାରସୁଗୁଡ଼ା, ୧୧ ସେପ୍ଟେମ୍ବର (ହି.ସ.)- ଡିଜିଟାଲ ଯୁଗରେ ମୋବାଇଲ ଓ ଇଣ୍ଟରନେଟ ସେବା ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ସୀମାନ୍ତବର୍ତ୍ତୀ ଟେଙ୍ଗେନାମାଲ ଗାଁ ଏବେ ବି ମୋବାଇଲ ନେଟୱର୍କ ସେବାରୁ ବଞ୍ଚିତ। ଗାଁରେ ମୋବାଇଲ ଟାୱାର ସ୍ଥାପନ ପାଇଁ ପ୍ରାୟ ଦୁଇ ବର୍ଷ ତଳେ ସର୍ଭେ ହୋଇ ରିପୋର୍ଟ ଦାଖଲ ହୋଇଥିଲେ ମଧ୍ୟ ଏଯାଏଁ ଟାୱାର ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ସୂଚନା ଅନୁଯାୟୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୁପାରିସ କ୍ରମେ ଟେଙ୍ଗେନାମାଲରେ ମୋବାଇଲ ଟାୱାର ସ୍ଥାପନ ପାଇଁ ଟେଲିକମ ବିଭାଗ ପକ୍ଷରୁ ୨୦୨୪ ଜୁଲାଇ ୧୦ ତାରିଖରେ ସର୍ଭେ କରାଯାଇଥିଲା। ଏହାର ଦୁଇ ଦିନ ପରେ, ଜୁଲାଇ ୧୨ ତାରିଖରେ ସର୍ଭେ ରିପୋର୍ଟ ସମ୍ବଲପୁରସ୍ଥିତ ଏଜିଏମ୍ କାର୍ଯ୍ୟାଳୟରେ ଦାଖଲ କରାଯାଇଥିଲା। ସର୍ଭେ ରିପୋର୍ଟ ଅନୁଯାୟୀ, ଟେଙ୍ଗେନାମାଲରେ ମୋବାଇଲ ଟାୱାର ସ୍ଥାପନ ହେଲେ ଏହି ଗାଁ ସମେତ ଆଖପାଖର ପ୍ରାୟ ୧୨ଟି ଗାଁର ଲୋକଙ୍କ ସହ ଛାତ୍ରଛାତ୍ରୀ ଉନ୍ନତ ମୋବାଇଲ ଓ ଇଣ୍ଟରନେଟ ସେବା ପାଇପାରିବେ। ହେଲେ ରିପୋର୍ଟ ଦାଖଲ ହେବାର ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଟାୱାର ସ୍ଥାପନ ଦିଗରେ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ନେଟୱର୍କ ଅଭାବର ସିଧାସଳଖ ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପଡ଼ୁଛି। ଅନଲାଇନ ପାଠପଢ଼ା ଓ ଡିଜିଟାଲ ଶିକ୍ଷା ସାମଗ୍ରୀ ବ୍ୟବହାରରେ ସମସ୍ୟା ହେଉଥିବା ବେଳେ ଜରୁରୀ ସମୟରେ ଫୋନ୍ ଯୋଗେ ଯୋଗାଯୋଗ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ମୋବାଇଲ ନେଟୱର୍କ ପାଇଁ ଗ୍ରାମବାସୀଙ୍କୁ ପାହାଡ଼ ତଳକୁ କିମ୍ବା ଅନ୍ୟ ସ୍ଥାନକୁ ଯିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ଏପରିସ୍ଥିତିରେ ସର୍ଭେ ରିପୋର୍ଟକୁ କେବଳ କାଗଜପତ୍ରରେ ସୀମିତ ନ ରଖି ଟେଙ୍ଗେନାମାଲ ସମେତ ପ୍ରଭାବିତ ୧୨ଟି ଗାଁର ଲୋକଙ୍କ ସମସ୍ୟା ଦୂର କରିବାକୁ ଦାବି ହୋଇଛି। ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର ଗଡ଼ତିଆଙ୍କ ସହ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ଟେଲିକମ ବିଭାଗ ତୁରନ୍ତ ପଦକ୍ଷେପ ନେଇ ଟାୱାର ସ୍ଥାପନ କରିବାକୁ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ