ଗଣେଶ ପୂଜା ଶୋଭାଯାତ୍ରାରେ ଡିଜେ ସମ୍ପୂର୍ଣ୍ଣ ନିଷେଧ, ନିର୍ଦ୍ଧାରିତ ଶବ୍ଦସୀମା ଉଲ୍ଲଂଘନ କଲେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ
ଭଦ୍ରକ, ୧୧ ସେପ୍ଟେମ୍ବର (ହି.ସ.) - ଆସନ୍ତା ଗଣେଶ ପୂଜା ଓ ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ପାଳନ ସହ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଲକ୍ଷ୍ୟରେ ଭଦ୍ରକ ଉପଖଣ୍ଡରେ ଗଣେଶ ପୂଜା ଶୋଭାଯାତ୍ରା ସମୟରେ ଡିଜେ, ଡିଜେ ବକ୍ସ, ହାଇ-ପାୱାର ସାଉଣ୍ଡ ସିଷ୍ଟମ ଓ ଅନୁରୂପ ଉଚ୍ଚଶବ୍ଦ ବର୍ଦ୍ଧକ ଯନ୍ତ
ଗଣେଶ ପୂଜା ଶୋଭାଯାତ୍ରାରେ ଡିଜେ ସମ୍ପୂର୍ଣ୍ଣ ନିଷେଧ, ନିର୍ଦ୍ଧାରିତ ଶବ୍ଦସୀମା ଉଲ୍ଲଂଘନ କଲେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ


ଭଦ୍ରକ, ୧୧ ସେପ୍ଟେମ୍ବର (ହି.ସ.) - ଆସନ୍ତା ଗଣେଶ ପୂଜା ଓ ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ପାଳନ ସହ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଲକ୍ଷ୍ୟରେ ଭଦ୍ରକ ଉପଖଣ୍ଡରେ ଗଣେଶ ପୂଜା ଶୋଭାଯାତ୍ରା ସମୟରେ ଡିଜେ, ଡିଜେ ବକ୍ସ, ହାଇ-ପାୱାର ସାଉଣ୍ଡ ସିଷ୍ଟମ ଓ ଅନୁରୂପ ଉଚ୍ଚଶବ୍ଦ ବର୍ଦ୍ଧକ ଯନ୍ତ୍ର ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଭଦ୍ରକ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ସୌରଭ ଚକ୍ରବର୍ତୀ ଏ ସମ୍ପର୍କରେ ଭଦ୍ରକ ଉପଖଣ୍ଡ ଅଧୀନ ସମସ୍ତ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଣେଶ ପୂଜା ଶୋଭାଯାତ୍ରାରେ ଶୋଭାଯାତ୍ରାର ପରିମାଣ, ସମୟ କିମ୍ବା ରୁଟ୍ ନିର୍ବିଶେଷରେ ଡିଜେ କିମ୍ବା ଉଚ୍ଚଶକ୍ତିସମ୍ପନ୍ନ ସାଉଣ୍ଡ ସିଷ୍ଟମକୁ ଅନୁମତି ଦିଆଯିବ ନାହିଁ। ଆଇନସମ୍ମତ ଭାବେ ଷ୍ଟାଣ୍ଡାର୍ଡ ଲାଉଡ୍ ସ୍ପିକର କିମ୍ବା ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ ବ୍ୟବହାର କରାଗଲେ ମଧ୍ୟ ପ୍ରଚଳିତ ଲାଉଡ୍ ସ୍ପିକର ନିୟମ ଓ ଶବ୍ଦ ପ୍ରଦୂଷଣ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ବିଶେଷକରି ଆବାସିକ ଅଂଚଳ, ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ନିକଟରେ ଶବ୍ଦସ୍ତର ଉପରେ ନଜର ରଖାଯିବ। ସମ୍ପୃକ୍ତ କର୍ତୃପକ୍ଷଙ୍କ ଅନୁମତି କିମ୍ବା ବୈଧ ଲାଇସେନ୍ସ ବିନା ଲାଉଡ୍ ସ୍ପିକର, ଆମ୍ପ୍ଲିଫାୟର କିମ୍ବା ଅନ୍ୟ ଅଡିଓ ଯନ୍ତ୍ର ବ୍ୟବହାର କରାଯାଇପାରିବ ନାହିଁ। ରାତିର ନିଷିଦ୍ଧ ସମୟ ମଧ୍ୟରେ କୌଣସି ପ୍ରକାର ଶବ୍ଦ ଉତ୍ପାଦନକାରୀ ଯନ୍ତ୍ର ଚାଲୁ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଥାନାର ଆଇଆଇସିମାନେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍, ତହସିଲଦାର ଓ ସ୍ଥାନୀୟ ପୂଜା କମିଟି ସହ ସମନ୍ୱୟ ରଖି ଏହି ନିର୍ଦ୍ଦେଶଗୁଡ଼ିକ ପୂଜା କମିଟି ଓ ଆୟୋଜକମାନଙ୍କୁ ପୂର୍ବରୁ ଅବଗତ କରାଇବେ। ନିୟମ ଉଲ୍ଲଂଘନ ହେଲେ ଅନୁମୋଦନ ବିହୀନ ସାଉଣ୍ଡ ଯନ୍ତ୍ର ଜବତ/ବାଜ୍ୟାପ୍ତ କରିବା ସହ ପ୍ରଚଳିତ ଆଇନ ଅନୁଯାୟୀ ତୁରନ୍ତ ଆଇନଗତ ପଦକ୍ଷେପ ନିଆଯିବ। ପରମ୍ପରା, ପୂଜାର ଉତ୍ସାହ କିମ୍ବା ଜନସାଧାରଣଙ୍କ ଦାବିକୁ ଡିଜେ ନିଷେଧ କିମ୍ବା ନିର୍ଦ୍ଧାରିତ ଶବ୍ଦସୀମା ଉଲ୍ଲଂଘନର କୌଣସି ଯଥାର୍ଥ କାରଣ ଭାବେ ଗ୍ରହଣ କରାଯିବ ନାହିଁ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande