୬ ମାସ ଧରି ଭତାରୁ ବଂଚିତ ୪ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ
Memorandum to Collector by Ex MLa
୬ ମାସ ଧରି ଭତ୍ତାରୁ ବଞ୍ଚିତ ୪ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ


ଝାରସୁଗୁଡ଼ା, ୧୧ ସେପ୍ଟେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲାରେ ଗତ ପ୍ରାୟ ୬ ମାସ ଧରି ୪ ହଜାରରୁ ଊର୍ଦ୍ଧ୍ୱ ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀ ଭତା ପାଇନଥିବା ଅଭିଯୋଗ କରି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ବ୍ରଜରାଜନଗରର ପୂର୍ବତନ ବିଧାୟିକା ଅଳକା ମହାନ୍ତିଙ୍କ ନେତୃତ୍ୱରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ବିଜେଡି ନେତୃବୃନ୍ଦ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ଦେଇଥିଲେ।

ଦାବିପତ୍ରରେ ଦର୍ଶାଯାଇଛି ଯେ, ଦୀର୍ଘ ୬ ମାସ ଧରି ଭତା ନମିଳିବା ଯୋଗୁଁ ବୟସ୍କ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀମାନେ ଔଷଧ ସମେତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାରେ ଗୁରୁତର ଆର୍ôଥକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବତନ ବିଜେଡି ସରକାର ସମୟରେ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ମଞ୍ଜୁର କରାଯାଇ ଭତା ପ୍ରଦାନ କରାଯାଉଥିଲା। ମାତ୍ର ବର୍ତମାନ ଏହି ବ୍ୟବସ୍ଥା ବନ୍ଦ ରହିଥିବାରୁ ହିତାଧିକାରୀମାନେ ଅସୁବିଧାରେ ପଡ଼ିଥିବା ବିଜେଡି ଅଭିଯୋଗ କରିଛି।

ଭତା ପ୍ରଦାନ ବ୍ୟବସ୍ଥାକୁ ତୁରନ୍ତ ସ୍ୱାଭାବିକ କରି ବକେୟା ଭତା ପ୍ରଦାନ କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି। ଏହାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକ୍, ପୌରପାଳିକା ଓ ଗ୍ରାମପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande