
ଝାରସୁଗୁଡ଼ା, ୧୧ ସେପ୍ଟେମ୍ବର (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଡିଏମଏଫ ସମ୍ମିଳନୀ କକ୍ଷରେ ଏମ୍ସିଏଲ୍ ଅଧୀନରେ ଥିବା ଖଣିଗୁଡ଼ିକର 'ଖଣି ବନ୍ଦ ପରାମର୍ଶଦାତା କମିଟି'ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ ମାଇନିଂ ପ୍ଲାନ-୨୦୨୫ ଏବଂ କମ୍ୟୁନିଟି ଡେଭଲପମେଣ୍ଟ ଆଣ୍ଡ ଲାଇଭଲିହୁଡ୍ ପ୍ଲାନ ଅନୁଯାୟୀ ଖଣି ବନ୍ଦ ଯୋଜନା ତଥା ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ସ୍ଥାୟୀ ଜୀବିକା ସୃଷ୍ଟି ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଚହ୍ବାଣ ସ୍ଥାନୀୟ ଲୋକଙ୍କ ସହଭାଗିତା ମାଧ୍ୟମରେ ଦୀର୍ଘସ୍ଥାୟୀ ବିକାଶ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ଖଣି କାର୍ଯ୍ୟ ବନ୍ଦ ହେବା ପରେ କିମ୍ବା ଉଦ୍ଧାର କରାଯାଇଥିବା ଖଣି ଅଞ୍ଚଳରେ ଏପରି ସମ୍ପତ୍ତି ଓ ପ୍ରକଳ୍ପ ସୃଷ୍ଟି କରାଯିବା ଆବଶ୍ୟକ, ଯାହା ସ୍ଥାନୀୟ ଲୋକଙ୍କୁ ଦୀର୍ଘକାଳୀନ ରୋଜଗାର ଓ ସ୍ଥାୟୀ ଜୀବିକା ଯୋଗାଇପାରିବ। ଏହି ପରିପ୍ରେକ୍ଷୀରେ ବର୍ଷା ଜଳ ସଂରକ୍ଷଣ, ଗୋଶାଳା ନିର୍ମାଣ ତଥା ପୁନରୁଦ୍ଧାର ହୋଇଥିବା ଖଣି ଅଞ୍ଚଳରେ ଇକୋ-ଟୁରିଜିମର ସମ୍ଭାବନା ଉପରେ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ରୋଜଗାର ସୃଷ୍ଟି କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏଥିସହ ଲଖନପୁର ଓ ଝାରସୁଗୁଡ଼ା ବିଡିଓଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ଗ୍ରାମସ୍ତରୀୟ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବୈଠକରେ ବ୍ରଜରାଜନଗର ପୌରପାଳିକା ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ, ଝାରସୁଗୁଡ଼ା ବିଡିଓ ଅନିଲ କୁମାର ଆଚାର୍ଯ୍ୟ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ଗ୍ରାମ୍ୟ ପ୍ରତିନିଧିମାନେ ଉପସ୍ଥିତ ରହି ନିଜର ମତାମତ ଉପସ୍ଥାପନ କରିଥିଲେ। ଏହା ବ୍ୟତୀତ ଏମ୍ସିଏଲ୍ ଏବଂ ସିଏମ୍ପିଡିଆଇଏଲ୍ ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏମ୍ସିଏଲ୍ ନୋଡାଲ ଅଫିସର (ମାଇନ୍ କ୍ଲୋଜର) ତଥା ଜିଏମ୍ କହ୍ନେୟା ମିଶ୍ର, ଇବ୍ ଭ୍ୟାଲି ଏରିଆ ଜିଏମ୍ ଜିତେନ୍ଦ୍ର ତିୱାରୀ, ସମଲେଶ୍ୱରୀ ଓସିପି ପ୍ରୋଜେକ୍ଟ ଅଫିସର ଟି. ଦେବରା, ଲଜକୁରା ଓସିପି ପ୍ରୋଜେକ୍ଟ ଅଫିସର ଜିତେନ୍ଦ୍ର କୁମାର, ଆଇଏଲ୍ବିଏଲ୍ ପ୍ରୋଜେକ୍ଟ ଅଫିସର ଜେ.ଭି. ଶ୍ରୀନିବାସ, ଇବ୍ ଭ୍ୟାଲି ଷ୍ଟାଫ୍ ଅଫିସର (ପରିବେଶ) ଏସ୍.ଭି.ଆର୍. ତେଲାଙ୍ଗ, ଆଇଏଲ୍ବିଏଲ୍ ଷ୍ଟାଫ୍ ଅଫିସର (ପରିବେଶ) ଚିଲାମ୍ବରସନ, ଇବ୍ ଭ୍ୟାଲି ଷ୍ଟାଫ୍ ଅଫିସର (ସିଏସ୍ଆର୍) ନବାରୁଣ ଦାସ, ଓରିଏଣ୍ଟ ଏରିଆ ଷ୍ଟାଫ୍ ଅଫିସର (ପରିବେଶ) ଆର୍. ଚନ୍ଦ୍ର ହାସନ ଏବଂ ସିଏମ୍ପିଡିଆଇଏଲ୍ର ଡେପୁଟି ମ୍ୟାନେଜର କ୍ରିଷ୍ଣା ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ