ସପ୍ତପୁରୀ ଅମାବାସ୍ୟାରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି, ଶ୍ରୀଜୀଉଙ୍କୁ ସପ୍ତପୁରୀ ଭୋଗ ଲାଗି ହେଲା
ପୁରୀ, ୧୧ ସେପ୍ଟେମ୍ବର (ହି.ସ.)- ଭାଦ୍ରବ ମାସ ଅମାବାସ୍ୟା ତିଥିରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସପ୍ତପୁରୀ ଭୋଗ ଲାଗି ହୋଇଛି । ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ସେବାୟତଙ୍କ ଦ୍ୱାରା ଏକ ବଡ଼ “ସପ୍ତପୁରୀ” (ସାତପୁରୀ) ପ
ଶ୍ରୀମନ୍ଦିର


ପୁରୀ, ୧୧ ସେପ୍ଟେମ୍ବର (ହି.ସ.)- ଭାଦ୍ରବ ମାସ ଅମାବାସ୍ୟା ତିଥିରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସପ୍ତପୁରୀ ଭୋଗ ଲାଗି ହୋଇଛି । ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ସେବାୟତଙ୍କ ଦ୍ୱାରା ଏକ ବଡ଼ “ସପ୍ତପୁରୀ” (ସାତପୁରୀ) ପ୍ରସ୍ତୁତ କରାଯାଇ ଶ୍ରୀଜୀଉମାନଙ୍କୁ ଭୋଗଲାଗି ହୋଇଛି । ଏହାକୁ “ସପ୍ତପୁରୀ ତାଡ଼” ମଧ୍ୟ କୁହାଯାଇଥାଏ ।

ଶୁକ୍ରବାର ସପ୍ତପୁରୀ ଅମାବାସ୍ୟା ପଡୁଥିବାରୁ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ଏହାର ପୂର୍ବଦିନ ଅର୍ଥାତ୍ ଗୁରୁବାର ଦିନ ଅଠରନଳା ନିକଟରେ ଅବସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ତାଡ ବିଜେ ହୋଇଥିଲା । ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ୫ଟି ତାଡ ଶ୍ରୀମନ୍ଦିର ପରିସରରେ ପହଁଚିବା ପରେ ଶ୍ରୀମନ୍ଦିର ଭିତରେ ବେଢାରେ ତାଡ ଗୁଡିକୁ ଗୋଟିଏ ଥର ବୁଲାଇ ଏହାକୁ ରୋଷ ବେହେରଣ ଠାରେ ରଖାଯାଇଥିଲା । ପରେ ଗତକାଲି ସଂନ୍ଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷୀଣକାଳୀଙ୍କ ମନ୍ଦିରକୁ ଯାଇ ଠାକୁରାଣୀଙ୍କୁ ଅର୍ପଣ କରିଥିଲେ । ଏହାପରେ ଦକ୍ଷିଣକାଳୀଙ୍କ ସେବକମାନେ ଏକ ଆଜ୍ଞାମାଳ ଆଣି ଶ୍ରୀମନ୍ଦିରକୁ ଆସି ରୋଷଦ୍ୱାର ପାଖରେ ରୋଷ ପାଇକଙ୍କୁ ଏହି ଆଜ୍ଞାମାଳ ଅର୍ପଣ କରିଥିଲେ । ପରେ ରୋଷ ପାଇକ ଏହି ଆଜ୍ଞାମାଳକୁ ନେଇ ରୋଷଘରେ ବିଜେ କରାଇଥିଲେ ।

ଆଜି ସପ୍ତପୁରୀ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଅବକାଶ ନୀତି ବଢ଼ିବା ପରେ ତିନି ବାଡ଼ରେ ବେଶ ହୋଇଥିଲା । ତଢ଼ାଉ ୬ ମୂର୍ତି ଲାଗି ହେବା ପରେ ଗୋପାଳ ବଲ୍ଲଭ ସମ୍ପନ୍ନ ହୋଇଥିଲା । ଏହା ପୂର୍ବରୁ ରୋଷ ଘରେ ସପ୍ତପୁରୀ ପ୍ରସ୍ତୁତ ହୋଇଥିଲା । ଶଙ୍ଖ, ଚକ୍ର, ହଳ, ମୂଷଳ, ଦଡକୀ ପିଠା ଉପରେ ପ୍ରସ୍ତୁତ ହୋଇଥିଲା । ତତ୍ପରେ ପାଣି ପଡ଼ି ଟେରା ବନ୍ଧା ହୋଇ ସକାଳ ଧୂପ ସହ ସାତପୁରୀ ଭୋଗ ତାଟ ମଧ୍ୟ ରୋଷରୁ ଘଂଟ, ଛତ୍ର, କାହାଳୀ ସହ ତଳିଛ, ପ୍ରଧାନୀ ପଟୁଆରରେ ଛାମୁକୁ ଆସିଥିଲା । ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପଣ୍ଡା ଷୋଡ଼ଶ ଉପଚାରରେ ମଣୋହି କରାଇଥିଲେ । ଭିତରେ ଆଳତୀ ବଢ଼ିବା ପରେ ପଣ୍ଡା, ପତି ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରିଥିଲେ । ଅନ୍ୟପକ୍ଷରେ ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କର ବିଶେଷ ପୂଜାନୀତି ସହ ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗର ବିଜେ କରିବେ ।

ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ, ଆଜି ସକାଳ ୬ଟା ୪ରେ ସିଂହଦ୍ୱାର ଫିଟା ନୀତି ସମ୍ପନ୍ନ ପରେ ୬ଟା ୪୪ରେ ଭିତର ଶୋଧ ବାଜା ନୀତି ଆରମ୍ଭ ହୋଇଥିଲା । ପରେ ୭ଟା ୧୫ ରେ ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ, ୭ଟା ୫୩ରେ ତଡ଼ପ ଲାଗି ସମ୍ପୂର୍ଣ୍ଣ ହେବା ସହ ଅବକାଶ ପୂଜା ବସିଥିଲା । ୮ଟା ୪୫ରେ ବେଶ ସମ୍ପୂର୍ଣ୍ଣ, ୯ଟା ୧୦ରେ ସୂର୍ଯ୍ୟପୂଜା ସମ୍ପନ୍ନ, ୯ଟା ୨୩ ରେ ଦ୍ୱାରପାଳ ପୂଜା ସମ୍ପନ୍ନ, ୯ଟା ୪୯ ରେ ଗୋପାଳ ବଲ୍ଲଭ ପୂଜା ସମ୍ପନ୍ନ ହୋଇଥିଲା । ୧୨ଟା ୨୪ ରେ ଶ୍ରୀଜୀଉଙ୍କ ସକାଳ ଧୂପ ଡାକିଗଲେ । ଏହାପରେ ସକାଳ ଧୂପ ନୀତି ଅପରାହ୍ନ ୧ଟା ୨୩ରେ ସମ୍ପନ୍ନ ହୋଇଛି । ସକାଳ ଧୂପରେ ଶ୍ରୀବିଗ୍ରହମାନଙ୍କୁ ସାତପୁରୀ ପିଠା ଲାଗି କରାଯାଇଛି । ଅନ୍ୟାନ୍ୟ ନୀତିକାନ୍ତି ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande