
ଜୟପୁର, ୧୧ ସେପ୍ଟେମ୍ବର (ହି.ସ.) - ଜୟପୁର ସରକାରୀ ବସ୍ଷ୍ଟାଣ୍ଡ ପରିସରରେ ଅସାମାଜିକଙ୍କ ଉପଦ୍ରବ ନେଇ ଅଭିଯୋଗ ହୋଇଛି। ବସ୍ଷ୍ଟାଣ୍ଡରେ ପାର୍କିଂ ହୋଇଥିବା ଏକାଧିକ ଚାରିଚକିଆ ଗାଡ଼ିର ଟାୟାରକୁ ଧାରୁଆ ଅସ୍ତ୍ରରେ କାଟି ପଙ୍କଚର୍ କରାଯିବା ସହ କେତେକ ଗାଡ଼ିର ଚକାରୁ ପମ୍ପ କାଢ଼ି ନିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ପରେ ବସ୍ଷ୍ଟାଣ୍ଡର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ଜଣେ ବସ୍ ଚାଳକ ବିଜୟ କୁମାର ସାହୁଙ୍କ କହିବାନୁଯାୟୀ, ସେ ପୂର୍ବଦିନ ସନ୍ଧ୍ୟାରେ ନିଜ ଗାଡିକୁ ବସ୍ଷ୍ଟାଣ୍ଡ ପରିସରରେ ରଖି ଡ୍ୟୁଟିରେ କଟକ ଯାଇଥିଲେ। ପରଦିନ ସକାଳେ ଫେରିବା ପରେ ଗାଡ଼ିର ଦୁଇଟି ଟାୟାର ପଙ୍କଚର୍ ହୋଇଥିବା ଦେଖିଥିଲେ। ଟାୟାର ଦୋକାନରେ ଯାଂଚ କରିବାରୁ ଗୋଟିଏ ଟାୟାରରେ ପ୍ରାୟ ୧୩ଟି ଓ ଅନ୍ୟଟିରେ ୧୪ଟି ସ୍ଥାନରେ ଧାରୁଆ ଅସ୍ତ୍ରରେ କଟାଯାଇଥିବା ଜଣାପଡ଼ିଥିଲା। ଏହା କେବଳ ଗୋଟିଏ ଗାଡ଼ିରେ ସୀମିତ ନଥିବା ଅଭିଯୋଗ ହୋଇଛି। ବସ୍ଷ୍ଟାଣ୍ଡରେ ଦୋକାନ କରିଥିବା ବ୍ୟବସାୟୀ ରବୀନ୍ଦ୍ର କୁମାର ମହାନ୍ତିଙ୍କ କହିଛନ୍ତି ଯେ ତାଙ୍କର ସୁଜୁକି ଡିଜାୟାରର ଦୁଇଟି ଟାୟାର ମଧ୍ୟ କାଟି ପଙ୍କଚର୍ କରାଯାଇଛି। ଏଥିସହ ଏକ ପିକ୍ଅପ୍ ସମେତ ପ୍ରାୟ ୪ରୁ ୫ଟି ଗାଡ଼ିର ଟାୟାର ଏଭଳି ଭାବେ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଗାଡ଼ିଗୁଡ଼ିକ ଭଡ଼ାରେ ଯିବା ପାଇଁ ପ୍ରସ୍ତୁତ ଥିବା ବେଳେ ଟାୟାର ନଷ୍ଟ ହେବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷରେ ବସ୍ଷ୍ଟାଣ୍ଡ ପରିସରରେ ଗାଡ଼ି ଭଙ୍ଗାରୁଜା କରାଯିବା ଓ ଚକାରୁ ପମ୍ପ କାଢ଼ି ନିଆଯିବା ଘଟଣାର ପୁନରାବୃତି ରୋକିବା ସହ ବସ୍ଷ୍ଟାଣ୍ଡ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଗାଡ଼ି ମାଲିକ ଓ ଚାଳକମାନେ କର୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି