
ଖୋର୍ଦ୍ଧା, ୧୧ ସେପ୍ଟେମ୍ବର (ହି.ସ.) - ଡିଜିଟାଲ ଯୁଗରେ ବଢ଼ୁଥିବା ସାଇବର ଠକେଇକୁ ରୋକିବା ପାଇଁ ଖୋର୍ଦ୍ଧା ପୋଲିସ ଏବଂ ଏସପି ପରମାର ସ୍ମିତ ପୁରୁଷୋତମ ଦାସ ଜନସାଧାରଣଙ୍କୁ ସଚେତନ କରିଛନ୍ତି। ବିଶେଷ କରି ଆଗାମୀ ପାର୍ବଣ ଋତୁରେ ଅନ୍ଲାଇନ ସପିଂ ବୃଦ୍ଧି ପାଉଥିବାରୁ, ନକଲି ଅଫର ଓ ଭୁଆ ୱେବସାଇଟ୍ ମାଧ୍ୟମରେ ଠକେଇ ହେବାର ଅଧିକ ଆଶଙ୍କା ରହିଛି। ତେଣୁ ଅଜଣା ଲିଙ୍କ୍ କିମ୍ବା ସନ୍ଦେହଜନକ ଆଟାଚମେଂଟ ଉପରେ କ୍ଲିକ୍ କରନ୍ତୁ ନାହିଁ। ଗୋଟିଏ ଭୁଲ କ୍ଲିକ୍ ବ୍ୟାଙ୍କ ଖାତା ଖାଲି କରିଦେଇପାରେ। ନିଜର ଓଟିପି , ପିନ, ପାସ୍ୱାର୍ଡ କିମ୍ବା ବ୍ୟାଙ୍କିଂ ତଥ୍ୟ କାହା ସହିତ ଶେୟାର କରନ୍ତୁ ନାହିଁ। ଫୋନ ଏବଂ ଆପ୍ ଗୁଡ଼ିକୁ ନିୟମିତ ଅପଡେଟ କରନ୍ତୁ ଓ ପ୍ରତ୍ୟେକ ପେମେଂଟ ଅନୁରୋଧକୁ ଭଲଭାବେ ଯାଂଚ କରନ୍ତୁ।
ଯଦି କେହି ଠକେଇର ଶିକାର ହେଲେ କିମ୍ବା ସନ୍ଦେହଜନକ କାରବାର ଜଣାପଡ଼ିଲେ, ବିଳମ୍ବ ନ କରି ତୁରନ୍ତ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ରେ ଅଭିଯୋଗ କରନ୍ତୁ। ସଚେତନ ଓ ସାବଧାନ ରହି ସାଇବର ଠକଙ୍କ ଠାରୁ ଗୋଟିଏ ପାଦ ଆଗରେ ରୁହନ୍ତୁ।
ହିନ୍ଦୁସ୍ଥାନ ସମାଚାର / ରାକେଶ