
ଝାରସୁଗୁଡ଼ା, ୧୧ ସେପ୍େଟମ୍ବର (ହି.ସ.) - ଯୁବପିଢ଼ିଙ୍କୁ ପ୍ରାଧାନ୍ୟ, ସମାଜର ଉନ୍ନତି ଉପରେ ଗୁରୁତ୍ୱ : ଆଗାମୀ ଚୌଜିଲ୍ଲା ମେହେର (ଭୁଲିଆ) ସମାଜ ମହାସଭାକୁ ସଫଳ କରିବା ନେଇ ଲଖନପୁର ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଚୌଜିଲ୍ଲା ସଭାପତିଙ୍କ ଅଧ୍ୟକ୍ଷତାରେ ଏବଂ ପଲସଦା ଆଂଚଳିକ ସଭାପତି ଗଙ୍ଗାଧର ମେହେରଙ୍କ ଉପସ୍ଥିତିରେ ଏହି ବୈଠକ ହୋଇଥିଲା।
ବୈଠକରେ ମହାସଭାର କାର୍ଯ୍ୟକାରୀ ସଭାପତି ଶତ୍ରୁଘ୍ନ ମେହେର, ମୁଖ୍ୟ ସଂଯୋଜକ ପବିତ୍ର ମେହେର, ଉପ-ସଭାପତି ବଂଶୀଧର ମେହେର, କୋଷାଧ୍ୟକ୍ଷ ପ୍ରଦୀପ ମେହେର, ଏଡିଟର ରାହାସ ବିହାରୀ ମେହେର, ସହ-ସଂଯୋଜକ ପ୍ରମୋଦ ମେହେରଙ୍କ ସମେତ ପଲସଦା ଆଂଚଳିକ ଗୁଡ଼ି ଅଧୀନ ବିଭିନ୍ନ ଗ୍ରାମ୍ୟ କମିଟିର ସଭାପତି ଓ କର୍ମକର୍ତା ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଆଗାମୀ ମହାସଭାର ଆୟୋଜନ, ପରିଚାଳନା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ମେହେର ସମାଜର ଯୁବପିଢ଼ିଙ୍କୁ ଅଧିକ ଭାବେ ସାମିଲ କରିବା ସହ ସମାଜର ଏକତା, ଶିକ୍ଷା, ସାମାଜିକ ସଚେତନତା ଓ ଉନ୍ନତି ମୂଳକ କାର୍ଯ୍ୟକୁ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆ ଯାଇଥିଲା।
ଏହି ଅବସରରେ ରାମଚନ୍ଦ୍ର ମେହେର,ଶଙ୍କର ମେହେର, ଆନନ୍ଦ ମେହେର, ପଂଚାନନ ମେହେର, ତୀର୍ଥବାସୀ ମେହେର ଓ ସମ୍ରାଟ ମେହେର ପ୍ରମୁଖ ନିଜ ନିଜ ମତ ରଖିଥିଲେ। ପଲସଦା ଆଂଚଳିକ ଗୁଡ଼ିର ବରିଷ୍ଠ ସମାଜସେବୀ ତଥା ଉପସଭାପତି ଲମ୍ବୋଦର ମେହେରଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ