
ଝାରସୁଗୁଡ଼ା, ୧୧ ସେପ୍ଟେମ୍ବର (ହି.ସ.)
ସକାଳ ୯ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର
: ରାଜ୍ୟ ରାଜପଥ-୧୦ ଅନ୍ତର୍ଗତ କିଷାନ ଛକରୁ ସରବାହାଲ ମଧ୍ୟରେ ବେଆଇନ ଭାବେ ଗାଡ଼ି ପାର୍କିଂ କରାଯାଉଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ଭାବେ ବୃଦ୍ଧି ପାଉଛି। ରାସ୍ତାର ଉଭୟ ପାର୍ଶ୍ୱରେ ମନଇଚ୍ଛା ଗାଡ଼ି ରଖିବା ଯୋଗୁଁ ନିୟମିତ ଯାତାୟାତରେ ବାଧା ସୃଷ୍ଟି ହେବା ସହ ଦୈନନ୍ଦିନ ଯାତ୍ରୀ, ଜରୁରୀକାଳୀନ ସେବା ଯାନବାହାନ ଫସି ରହୁଛି ଏବଂ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଆର.ଟି.ଏ. ଅଧ୍ୟକ୍ଷ କୁଣାଲ ମୋତିରାମ ଚହ୍ବାଣ ଏହି ରାସ୍ତା ଉପରେ ଯାନବାହାନ ପାର୍କିଂ ଉପରେ କଡ଼ା କଟକଣା ଜାରି କରିଛନ୍ତି।ମୋଟର ଯାନ ଆଇନ ୧୯୮୮ର ଧାରା ୧୧୫ ଏବଂ ଓଡ଼ିଶା ମୋଟର ଯାନ ନିୟମାବଳୀ ୧୯୯୩ର ଧାରା ୬୩ ଓ ୯୩ ଅନୁଯାୟୀ କିଷାନ ଛକରୁ ସରବାହାଲ (ପୁରୁଣା ରାଜ୍ୟ ରାଜପଥ-୧୦) ରାସ୍ତାର ଉଭୟ ପାର୍ଶ୍ୱ ଡ୍ରେନ ପର୍ଯ୍ୟନ୍ତ ସମସ୍ତ ପ୍ରକାର କାର, ପିକଅପ୍ ଭ୍ୟାନ, ଲଘୁ ଯାନ ଏବଂ ଭାରୀ ଯାନଗୁଡ଼ିକର ବେଆଇନ ପାର୍କିଂକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ଏହି ନିୟମ ୩୦.୦୯.୨୦୨୬ ରିଖ ପର୍ଯ୍ୟନ୍ତ (ପ୍ରତିଦିନ ସକାଳ ୯ଟାରୁ ରାତି ୧୦ଟା ପର୍ଯ୍ୟନ୍ତ) ଏବଂ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଗୌର ହରି ହାଁସଦା ସୂଚନା ଦେଇଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ