
ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.) ଭୁବନେଶ୍ୱରସ୍ଥିତ କୃଷି ଭବନ ଅଡିଟୋରିୟମ୍ରେ ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଛି। ମତ୍ସ୍ୟ କ୍ଷେତ୍ରର ବିକାଶ, ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଏବଂ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ନେଇ ବୈଠକରେ ବିସ୍ତୃତ ସମୀକ୍ଷା କରାଯାଇଛି।
ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମତ୍ସ୍ୟ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସଙ୍କ ସମେତ ସମସ୍ତ ଜିଲ୍ଲାର ମୁଖ୍ୟ ମତ୍ସ୍ୟ ଅଧିକାରୀ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
ବୈଠକରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ସହାୟତା ଯୋଜନା, ମତ୍ସ୍ୟଜୀବୀ ଉଦ୍ୟମୀ ବିକାଶ ଯୋଜନା ଏବଂ ଓଡ଼ିଶା ସମନ୍ୱିତ ଜଳଚାଷ ଓ ମତ୍ସ୍ୟ ସମ୍ପଦ ଉନ୍ନୟନ ପ୍ରକଳ୍ପ ଭଳି ପ୍ରମୁଖ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରାଯାଇଥିଲା।
ଏଥିସହ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା, ପ୍ରମୁଖ ମତ୍ସ୍ୟ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଏବଂ ସରକାରୀ ମତ୍ସ୍ୟ ଫାର୍ମଗୁଡ଼ିକର କାର୍ଯ୍ୟକ୍ଷମତା ନେଇ ଆଲୋଚନା ହୋଇଥିଲା। ଜିଲ୍ଲାସ୍ତରରେ ଯୋଜନାଗୁଡ଼ିକର ସଫଳ ରୂପାୟଣ ଏବଂ ମତ୍ସ୍ୟଜୀବୀଙ୍କୁ ଯୋଜନାର ସୁବିଧା ପହଞ୍ଚାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ରାଜ୍ୟର ମତ୍ସ୍ୟ କ୍ଷେତ୍ରକୁ ଅଧିକ ସୁଦୃଢ଼, ସ୍ୱାବଲମ୍ବୀ ଓ ଉତ୍ପାଦନଶୀଳ କରିବା ନେଇ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ