
କୋଲକାତା, ୧୧ ସେପ୍ଟେମ୍ବର (ହି.ସ.)- ଝାଡ଼ଖଣ୍ଡର ଜଣେ ବ୍ୟବସାୟୀଙ୍କୁ ହତ୍ୟା ଘଟଣାର ତଦନ୍ତରେ କୋଲକାତା ପୋଲିସର ଜଣେ ଟ୍ରାଫିକ୍ ସର୍ଜେଂଟ ଏବଂ ସିଭିକ ଭଲ୍ୟୁଟିଂୟରଙ୍କୁ ଝାଡ଼ଖଣ୍ଡ ପୋଲିସ ଗିରଫ କରିଛି । ଗିରଫ ପୋଲିସ ଅଧିକାରୀ ଅୟନ ଗୁପ୍ତା ବୋଲି ଚିହ୍ନଟ କରାଯାଇଛି । ସେ ବେଲେଘାଟା ଟ୍ରାଫିକ୍ ଗାର୍ଡରେ ମୁତୟନ ହୋଇଥିଲେ । ତାଙ୍କ ସହିତ ଚାୱଲପଟ୍ଟି ରୋଡ ର ବାସିନ୍ଦା ଟ୍ୱିଙ୍କଲ ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି । ଟ୍ୱିଙ୍କଲ ଜଣେ ସିଭିକ ଭଲ୍ୟୁଟିଂୟର ଭାବେ କାର୍ଯ୍ୟ କରୁଥିଲେ ।
ଝାଡ଼ଖଣ୍ଡ ପୋଲିସ ଦଳ ଗୁରୁବାର ଦିନ ଉଭୟଙ୍କୁ ଲାଲବଜାରସ୍ଥିତ କୋଲକାତା ପୋଲିସ ମୁଖ୍ୟାଳୟକୁ ଡକାଇଥିଲେ । ସେଠାରେ ଲାଲବଜାର ଗୁଇନ୍ଦା ଅଧିକାରୀଙ୍କ ଉପସ୍ଥିତିରେ ଝାଡ଼ଖଣ୍ଡ ପୋଲିସ ଅଧିକାରୀମାନେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଉଭୟଙ୍କୁ ପଚରାଉଚରା କରିଥିଲେ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମଗ୍ର ପଚରାଉଚରା ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯାଇଥିଲା । ଶୁକ୍ରବାର ସକାଳେ ଝାଡ଼ଖଣ୍ଡ ପୋଲିସ ଏହି ଦୁହିଁଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଥିଲା ।
ପୋଲିସ ସୂତ୍ର ଅନୁଯାୟୀ, ଗତ ଅଗଷ୍ଟ ୨୪ ତାରିଖରେ ଚାନ୍ଦିଲ ଥାନା ଅଂଚଳରେ ଜାତୀୟ ରାଜପଥ-ନଂ ୩୩ ନିକଟରେ ଥିବା ଏକ ହୋଟେଲ ସମ୍ମୁଖରେ ବ୍ୟବସାୟୀ ନିଖାର ସବ୍ଲୋକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତଦନ୍ତରୁ ଜଣାପଡ଼ିଛି ଯେ, ବ୍ୟବସାୟୀଙ୍କୁ ହତ୍ୟା ପାଇଁ ସୁପାରୀ ଦିଆଯାଇଥିଲା । ଆକ୍ରମଣକାରୀମାନେ ନଅ ରାଉଣ୍ଡ ଗୁଳି ଚଳାଇଥିଲେ । ବ୍ୟବସାୟୀଙ୍କ କାନ୍ଧ, ପିଠି ଏବଂ ବେକରେ ଗୁଳି ବାଜିଥିଲା । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଜାମସେଦପୁରର ଏକ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରାଥମିକ ତଦନ୍ତରୁ ହତ୍ୟାକାଣ୍ଡ ପଛରେ ଏକ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା ଥିବା ଆଶଙ୍କା କରାଯାଉଛି ।
ମାମଲାର ତଦନ୍ତ ସମୟରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତରପ୍ରଦେଶ ଏବଂ ବିହାରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୋଲିସ ଛଅ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପେସାଦାର ବନ୍ଧୁକଚାଳକ ମଧ୍ୟ ଅଛନ୍ତି । ଝାଡ଼ଖଣ୍ଡ ପୋଲିସର ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଗିରଫ ସନ୍ଦିଗ୍ଧମାନଙ୍କ ମଧ୍ୟରୁ ଜଣେ କୋଲକାତା ପୋଲିସର ଟ୍ରାଫିକ୍ ସର୍ଜେଂଟ ଅୟନ ଗୁପ୍ତାଙ୍କ ସହ ଯୋଗାଯୋଗରେ ଥିଲା । ପୋଲିସର କହିବା ଅନୁଯାୟୀ, ଉକ୍ତ ସନ୍ଦିଗ୍ଧ ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ । ଅଧିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସେ ମହିଳା ନାଗରିକ ସ୍ୱେଚ୍ଛାସେବୀ ଟ୍ୱିଙ୍କଲ ଦାସଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ