ନକଲି ଫୋନପେ ପେମେଣ୍ଟ ଦେଖାଇ ଟଙ୍କା ହଡ଼ପ : ୨ ଅଭିଯୁକ୍ତ ଗିରଫ, ୪୫ ହଜାର ୪୦୦ ଟଙ୍କା ଠକେଇ ଅଭିଯୋଗ
Taking Money by Showing a Fake PhonePe Payment
ନକଲି ଫୋନ୍ପେ ପେମେଣ୍ଟ ଦେଖାଇ ଟଙ୍କା ହଡ଼ପ


ଝାରସୁଗୁଡ଼ା, ୧୧ ସେପ୍ଟେମ୍ବର (ହି.ସ.)- ଫୋନପେ ରେ ଟଙ୍କା ପୈଠ ହୋଇଥିବାର ନକଲି ସ୍କ୍ରିନ୍ ଦେଖାଇ ନଗଦ ଟଙ୍କା ଓ ସାମଗ୍ରୀ ହଡ଼ପ କରୁଥିବା ଅଭିଯୋଗରେ ଝାରସୁଗୁଡ଼ା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଝାରସୁଗୁଡ଼ା ଥାନାରେ କେସ୍ ନମ୍ବର ୫୩୨, ତାରିଖ ୧୧.୦୯.୨୦୨୬ରେ ବିଏନ୍ଏସ୍ର ବିଭିନ୍ନ ଧାରା ସହ ଆଇଟି ଆକ୍ଟର ଧାରା ୬୬-ଡି ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବେଲପାହାଡ଼ ଥାନା ଅନ୍ତର୍ଗତ ଘୁମାଡେରା ଗୌନ୍ତିଆପଡ଼ାର ରଞ୍ଜନ ବାରିକ (୨୯) ଏବଂ ଘୁମାଡେରାର ମହମ୍ମଦ ସାହବାଜ (୩୬)।

ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଜଣେ ବ୍ୟକ୍ତିଙ୍କ ନିକଟକୁ ଯାଇ ୧୦ ହଜାର ୯୦୦ ଟଙ୍କା ନଗଦ ମାଗିଥିଲେ। ଏହା ବଦଳରେ ଫୋନପେ ମାଧ୍ୟମରେ ସମାନ ରାଶି ପୈଠ କରିବେ ବୋଲି କହିଥିଲେ। ପରେ କ୍ୟୁଆର୍ କୋଡ୍ ସ୍କାନ୍ କରି ଏକ ନକଲି ‘ପେମେଣ୍ଟ ସକ୍ସେସ୍ଫୁଲ୍’ ସ୍କ୍ରିନ୍ ଦେଖାଇଥିଲେ। ପେମେଣ୍ଟ ହୋଇଥିବା ବିଶ୍ୱାସ କରି ପୀଡ଼ିତ ନଗଦ ଟଙ୍କା ଦେଇଥିଲେ। ତେବେ ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କୌଣସି ଟଙ୍କା ଜମା ହୋଇନଥିବା ଜଣାପଡ଼ିଥିଲା। ତଦନ୍ତ ସମୟରେ ଅଭିଯୁକ୍ତମାନେ ଏହିପରି ଅନ୍ୟାନ୍ୟ ଠକେଇରେ ମଧ୍ୟ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି। ୫ ହଜାର, ୩ ହଜାର ୫ ଶହ, ୭ ହଜାର, ୩ ହଜାର, ୬ ହଜାର ଓ ୧୦ ହଜାର ଟଙ୍କା ସମେତ ବିଭିନ୍ନ ରାଶିର ଠକେଇ ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ ମୋଟ ୪୫ ହଜାର ୪୦୦ ଟଙ୍କା ଠକେଇ ହୋଇଥିବା ତଦନ୍ତରୁ ଜଣାପଡ଼ିଛି।

ପୁଲିସ ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ୍ ଏବଂ ଓଆର୍-୧୫-କେ-୭୨୩୬ ନମ୍ବର ବିଶିଷ୍ଟ ଗୋଟିଏ ବଜାଜ୍ ପ୍ଲାଟିନା ମୋଟରସାଇକେଲ ଜବତ କରିଛି। ଅଭିଯୁକ୍ତମାନେ ଏକ ନକଲି ପେମେଣ୍ଟ ଇଣ୍ଟରଫେସ୍ ବ୍ୟବହାର କରି ଟଙ୍କା ପୈଠ ସଫଳ ହୋଇଥିବା ଭଳି ସ୍କ୍ରିନ୍ ଦେଖାଉଥିଲେ। ବାସ୍ତବରେ କୌଣସି ଟଙ୍କା ପୈଠ ହେଉନଥିଲା। ନକଲି ପେମେଣ୍ଟ ସଫଳତାର ସ୍କ୍ରିନ୍ କିମ୍ବା ପେମେଣ୍ଟ ସଫଳ ହୋଇଥିବା ଶବ୍ଦ ଶୁଣି ଦୋକାନୀ ଓ ଲୋକେ ଟଙ୍କା ପାଇଥିବା ଭାବି ନଗଦ ଟଙ୍କା କିମ୍ବା ସାମଗ୍ରୀ ଦେଇଦେଉଥିଲେ। ଏଭଳି ଠକେଇରୁ ସତର୍କ ରହିବାକୁ ଝାରସୁଗୁଡ଼ା ଏସ୍ପି ଦୋକାନୀ ଓ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। କେବଳ ଗ୍ରାହକଙ୍କ ମୋବାଇଲରେ ଦେଖାଯାଉଥିବା ପେମେଣ୍ଟ ସ୍କ୍ରିନ୍ କିମ୍ବା ଶବ୍ଦ ଉପରେ ଭରସା ନକରି ନିଜ ବ୍ୟାଙ୍କ ଆକାଉଣ୍ଟ କିମ୍ବା ପ୍ରକୃତ ୟୁପିଆଇ/ମର୍ଚ୍ଚାଣ୍ଟ ଆପ୍ରେ ଟଙ୍କା ଜମା ହୋଇଛି କି ନାହିଁ ଯାଞ୍ଚ କରିବା ପରେ ହିଁ ନଗଦ ଟଙ୍କା କିମ୍ବା ସାମଗ୍ରୀ ଦେବାକୁ କୁହାଯାଇଛି।

ଏଥିସହ ଅଜଣା ଲିଙ୍କ୍ କିମ୍ବା ଫାଇଲ୍-ସେୟାରିଂ ପ୍ଲାଟଫର୍ମରୁ ମିଳୁଥିବା ସନ୍ଦେହଜନକ ପେମେଣ୍ଟ ଏପିକେ ଇନ୍ଷ୍ଟଲ୍ ନକରିବାକୁ ପୁଲିସ ପରାମର୍ଶ ଦେଇଛି। କୌଣସି ସନ୍ଦେହଜନକ ଡିଜିଟାଲ ପେମେଣ୍ଟ ଠକେଇର ସମ୍ମୁଖୀନ ହେଲେ ତୁରନ୍ତ ପୁଲିସ କିମ୍ବା ସାଇବର ଅପରାଧ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଅପିଲ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande