
ପୁରୀ, ୧୧ ସେପ୍ଟେମ୍ବର (ହି.ସ.)-ପରିବେଶ ସୁରକ୍ଷା, ଜୈବ ବିବିଧତାର ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଯୁବପିଢ଼ି ମଧ୍ୟରେ ପ୍ରକୃତି ପ୍ରତି ଦାୟିତ୍ୱବୋଧ ସୃଷ୍ଟିର ମହତ୍ ଉଦ୍ଦେଶ୍ୟ ନେଇ ସମ୍ପର୍କ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ, କ୍ରିଷ୍ଣା ଡାଗା ଫାଉଣ୍ଡେସନ୍ ଟ୍ରଷ୍ଟ ଏବଂ ମାଇ ଭାରତ, ପୁରୀର ସହଯୋଗରେ ଆୟୋଜିତ “ବୃକ୍ଷ ସମ୍ପର୍କ–୧୦୦୦” ମହା ବୃକ୍ଷରୋପଣ ଅଭିଯାନ ଆଜି ସଫଳତାର ସହ ସମ୍ପନ୍ନ ହୋଇଛି। ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଅଭିଯାନରେ ପ୍ରାୟ ୫୦୦ ଛାତ୍ରଛାତ୍ରୀ, ଯୁବ ସ୍ୱେଚ୍ଛାସେବୀ, ଶିକ୍ଷକ ଓ ପରିବେଶପ୍ରେମୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଅଭିଯାନ ଅଧୀନରେ ୧,୦୦୦ଟି ଔଷଧୀୟ, ଫଳଦାୟୀ, ଦେଶୀୟ ଓ ଜଳବାୟୁ ସହନଶୀଳ ବୃକ୍ଷ ରୋପଣ କରାଯାଇଥିଲା। ଏହି ଦିନକୁ ବୃକ୍ଷରୋପଣ ଅଭିଯାନ ପାଇଁ ବାଛିବା ପଛରେ ରହିଛି ଏକାଧିକ ଐତିହାସିକ ଓ ପ୍ରେରଣାଦାୟକ କାରଣ। ୧୧ ସେପ୍ଟେମ୍ବର ଆଚାର୍ଯ୍ୟ ବିନୋବା ଭାବେଙ୍କ ଜନ୍ମଦିନ। ସେ ୧୧ ସେପ୍ଟେମ୍ବର ୧୮୯୫ରେ ଜନ୍ମଗ୍ରହଣ କରିଥିଲେ। ଅହିଂସା, ସର୍ବୋଦୟ, ଭୂଦାନ ଓ ସାମାଜିକ ସମତାର ବାର୍ତ୍ତା ମାଧ୍ୟମରେ ସେ ସମାଜକୁ ଏକ ମାନବିକ ଓ ସହଯୋଗମୂଳକ ଦିଗ ପ୍ରଦାନ କରିଥିଲେ। ସେହିପରି ୧୧ ସେପ୍ଟେମ୍ବର ୧୮୯୩ରେ ଆମେରିକାର ଚିକାଗୋଠାରେ ଆୟୋଜିତ ବିଶ୍ୱ ଧର୍ମ ମହାସଭାରେ ସ୍ୱାମୀ ବିବେକାନନ୍ଦଙ୍କ ଐତିହାସିକ ଭାଷଣ ଭାରତୀୟ ଚିନ୍ତନ, ମାନବିକତା, ସହିଷ୍ଣୁତା ଓ ଆଧ୍ୟାତ୍ମିକ ଏକତାର ବାର୍ତ୍ତାକୁ ବିଶ୍ୱମଞ୍ଚରେ ପହଞ୍ଚାଇଥିଲା।୧୧ ସେପ୍ଟେମ୍ବର ମହାକବି ସୁବ୍ରମଣ୍ୟମ୍ ଭାରତୀଙ୍କ ପୁଣ୍ୟତିଥି ମଧ୍ୟ। ୧୯୨୧ ମସିହାର ଏହି ଦିନ ସେ ପରଲୋକଗମନ କରିଥିଲେ। ଜାତୀୟ ଏକତା, ସାମାଜିକ ନ୍ୟାୟ, ନାରୀ ସଶକ୍ତିକରଣ ଓ ଦେଶପ୍ରେମର ତାଙ୍କ ଚିନ୍ତାଧାରା ଆଜି ମଧ୍ୟ ପ୍ରେରଣାର ଉତ୍ସ।ଏଥିସହିତ, ୧୧ ସେପ୍ଟେମ୍ବର ଜାତୀୟ ବନ ସହିଦ ଦିବସ ଭାବେ ପାଳିତ ହୁଏ। ୧୭୩୦ ମସିହାର ରାଜସ୍ଥାନର ଖେଜରଲି ଘଟଣାରେ ବୃକ୍ଷ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମୃତା ଦେବୀ ବିଷ୍ଣୋଇ ଓ ୩୬୩ ଜଣ ବିଷ୍ଣୋଇଙ୍କ ତ୍ୟାଗ ଏହି ଦିନ ସ୍ମରଣ କରାଯାଏ। ଏହି ଘଟଣା ଭାରତୀୟ ପରିବେଶ ସୁରକ୍ଷା ଇତିହାସର ଏକ ଅମର ଅଧ୍ୟାୟ।ତେଣୁ ଗଛ ଲଗାଇବା ସହ ଗଛକୁ ବଞ୍ଚାଇବାର ସଂକଳ୍ପ ନେବା ପାଇଁ ୧୧ ସେପ୍ଟେମ୍ବର ଦିନଟି ବିଶେଷ ତାତ୍ପର୍ଯ୍ୟ ବହନ କରେ।କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସକାଳ ୯ଟାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବୃକ୍ଷର ଗୁରୁତ୍ୱ, ଜୈବ ବିବିଧତା, ଜଳବାୟୁ ପରିବର୍ତ୍ତନ, ଜଳ ସଂରକ୍ଷଣ ଏବଂ ବୃକ୍ଷର ଦୀର୍ଘମିଆଦୀ ଯତ୍ନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ଓ ଯୁବ ସ୍ୱେଚ୍ଛାସେବୀମାନେ “ଗଛ ସଂକଳ୍ପ” ଗ୍ରହଣ କରିଥିଲେ। ସେମାନେ ଅତି କମ୍ ରେ ଗୋଟିଏ ବୃକ୍ଷ ରୋପଣ କରିବା, ରୋପିତ ବୃକ୍ଷର ନିୟମିତ ଯତ୍ନ ଓ ସୁରକ୍ଷା ନେବା, ଅନାବଶ୍ୟକ ବୃକ୍ଷ କାଟିବାକୁ ବିରୋଧ କରିବା ଏବଂ ପରିବାର, ବିଦ୍ୟାଳୟ ଓ ସମାଜରେ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବା ପାଇଁ ସଂକଳ୍ପ ନେଇଥିଲେ।
ପରେ ସକାଳ ୧୦ଟାରୁ ମହା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନେ ଦଳଭିତ୍ତିକ ଭାବରେ ବୃକ୍ଷରୋପଣ କରିବା ସହ ପ୍ରତ୍ୟେକ ଚାରାର ଯତ୍ନ ଓ ସୁରକ୍ଷା ପାଇଁ ଦାୟିତ୍ୱ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଉପସ୍ଥିତ ରହି ଯୁବପିଢ଼ିଙ୍କୁ କେବଳ ବୃକ୍ଷରୋପଣରେ ସୀମିତ ନ ରହି “ଗଛ ଲଗାଇବା ସହ ଗଛ ବଞ୍ଚାଇବା” ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ।
ସେହିପରି ପୂର୍ବତନ ବିଧାୟକ ଜୟନ୍ତୀ ଷଡ଼ଙ୍ଗୀ ଯୋଗ ଦେଇ ଜେନ୍ - ଜି ଙ୍କୁ ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେଇଥିଲେ । ସରସ୍ୱତୀ ଶିଶୁ ମନ୍ଦିର, ଘୋଡ଼ାବଜାରର ସାଧାରଣ ସମ୍ପାଦକ ଅରବିନ୍ଦ ଶତପଥୀ ଯୁବ ସମାଜର ସାମାଜିକ ଦାୟିତ୍ୱ, ପରିବେଶ ସଚେତନତା ଓ ସ୍ୱେଚ୍ଛାସେବୀ ଭାବନାକୁ ଆହୁରି ସୁଦୃଢ଼ କରିବା ଉପରେ ମତବ୍ୟକ୍ତ କରିଥିଲେ। ସମ୍ପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ ତାଙ୍କ ଉଦ୍ବୋଧନରେ ବୃକ୍ଷରୋପଣକୁ ଏକଦିନିଆ କାର୍ଯ୍ୟକ୍ରମ ଭାବେ ନ ଦେଖି, ଏହାକୁ ଏକ ଦୀର୍ଘମିଆଦୀ ପରିବେଶ ସଂରକ୍ଷଣ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବ ପ୍ରାନ୍ତ ସେବା ପ୍ରମୁଖ ଶାନ୍ତନୁ କୁମାର ମାଝୀ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ଜୈବ ବିବିଧତା ରକ୍ଷା ଏବଂ ଆଗାମୀ ପିଢ଼ି ପାଇଁ ସବୁଜ ପରିବେଶ ଗଢ଼ିବାରେ ନିଜ ନିଜ ଭୂମିକା ନେବାକୁ ପ୍ରେରିତ କରିଥିଲେ। କ୍ରିଷ୍ଣା ଡାଗା ଫାଉଣ୍ଡେସନ୍ ଟ୍ରଷ୍ଟ ଉପଦେଷ୍ଟା ରତି ରଞ୍ଜନ ଗଡ଼ନାୟକ କହିଥିଲେ ଯେ, “ବୃକ୍ଷ ସମ୍ପର୍କ–୧୦୦୦”ର ଲକ୍ଷ୍ୟ କେବଳ ୧,୦୦୦ଟି ଚାରା ରୋପଣ କରିବା ନୁହେଁ; ପ୍ରତ୍ୟେକ ଚାରାକୁ ଏକ ଜୀବନ୍ତ ଦାୟିତ୍ୱ ଭାବେ ଗ୍ରହଣ କରି ତାହାକୁ ବଡ଼ କରିବା। ବିଶ୍ୱବିଦ୍ୟାଳୟ ପରିସରକୁ ଏକ ସବୁଜ ଓ ପରିବେଶ-ସହନଶୀଳ ପରିସର ଭାବେ ବିକଶିତ କରିବା ସହ ଛାତ୍ରଛାତ୍ରୀଙ୍କ ମନରେ ମୋର ଗଛ ମୋର ଦାୟିତ୍ୱ” ଭାବନା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ସନ୍ଦେଶ ଥିଲା।
କାର୍ଯ୍ୟକ୍ରମରେ ବିଶ୍ୱ ବିଦ୍ୟାଳୟ ଅଧ୍ୟାପିକା ସସ୍ମିତା ବନ୍ଦର ନାୟକ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ନନ୍ଦିଘୋଷ ମହାପତ୍ର, ଶୁଭ ପ୍ରସାଦ ଶର୍ମା, ସରୋଜ ଦାସ, ବିଶ୍ୱଜିତ୍ ମିଶ୍ର, ଆଶୁତୋଷ ସ୍ୱାଇଁ, ପ୍ରକାଶ ଆଚାର୍ଯ୍ୟ, ପ୍ରିୟ ରଞ୍ଜନ ଜେନା, ଅରବିନ୍ଦ ଦାସ,ଶ୍ରୀବତ୍ସ ଦାସ,ବିକାଶ ଦତ୍ତ,ଭାରତ ବିକାଶ ପରିଶଦ ର ସଚିବ ହର ପ୍ରସାଦ ମହାପାତ୍ର, ପତିତପାବନ ସାମନ୍ତରାୟ,ଉମାକାନ୍ତ ନାୟକ,ରାଜେନ୍ଦ୍ର ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ । ଏହି ପଦକ୍ଷେପ ମାଧ୍ୟମରେ ପୁରୀରୁ ପରିବେଶ ସୁରକ୍ଷା, ଯୁବ ସହଭାଗିତା ଓ ପ୍ରକୃତି ପ୍ରତି ଦାୟିତ୍ୱର ଏକ ଦୃଢ଼ ବାର୍ତ୍ତା ସମଗ୍ର ସମାଜକୁ ପ୍ରଦାନ କରାଯାଇଛି। ୧,୦୦୦ ବୃକ୍ଷ , ୫୦୦ ଯୁବ , ଗୋଟିଏ ସବୁଜ ସଂକଳ୍ପ ଗଛ ଲଗାଇବା ଗଛ ବଞ୍ଚାଇବା । ସବୁଜ ଭବିଷ୍ୟତ ଗଢ଼ିବା । ଏହି ପଦକ୍ଷେପ ମାଧ୍ୟମରେ ପୁରୀରୁ ପରିବେଶ ସୁରକ୍ଷା, ଯୁବ ସହଭାଗିତା ଓ ପ୍ରକୃତି ପ୍ରତି ଦାୟିତ୍ୱର ଏକ ଦୃଢ଼ ବାର୍ତ୍ତା ସମଗ୍ର ସମାଜକୁ ପ୍ରଦାନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ବିଜୟ