ଓଡ଼ିଶାର ସହରାଂଚଳରେ ସ୍ୱଚ୍ଛତା ହିଁ ସେବା ପାଇଁ ରାଜ୍ୟସ୍ତରୀୟ ଅଭିମୁଖ୍ୟ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର ,୧୧ ସେପ୍ଟେମ୍ବର(ହି.ସ.) - ଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରାଳୟର କେନ୍ଦ୍ରମନ୍ତ୍ରୀଙ୍କ ସହ ଗତକାଲି ଅନୁଷ୍ଠିତ ଭିଡିଓ କନଫରେନ୍ସରେ ନିଆଯାଇଥିବା ନିଷ୍ପତିକୁ ଆଧାର କରି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଦିଗଦର୍ଶନରେ ଆଜି ପୌର ପ୍ରଶ
ଓଡ଼ିଶାର ସହରାଂଚଳରେ ସ୍ୱଚ୍ଛତା ହିଁ ସେବା ପାଇଁ ରାଜ୍ୟସ୍ତରୀୟ ଅଭିମୁଖ୍ୟ ବୈଠକ ଅନୁଷ୍ଠିତ


ଭୁବନେଶ୍ୱର ,୧୧ ସେପ୍ଟେମ୍ବର(ହି.ସ.) - ଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରାଳୟର କେନ୍ଦ୍ରମନ୍ତ୍ରୀଙ୍କ ସହ ଗତକାଲି ଅନୁଷ୍ଠିତ ଭିଡିଓ କନଫରେନ୍ସରେ ନିଆଯାଇଥିବା ନିଷ୍ପତିକୁ ଆଧାର କରି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଦିଗଦର୍ଶନରେ ଆଜି ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଉପରେ ଏକ ଉଚ୍ଚସ୍ତରୀୟ ରାଜ୍ୟସ୍ତରୀୟ ଅଭିମୁଖ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ରାଜ୍ୟର ସମସ୍ତ ସହରାଂଚଳ ସ୍ଥାନୀୟ ସଂସ୍ଥାର ପ୍ରସ୍ତୁତିର ସମୀକ୍ଷା କରାଯିବା ସହ ‘ସ୍ୱଚ୍ଛତା ହିଁ ସେବା ୨୦୨୬’କୁ ଓଡ଼ିଶାର ସହରାଂଚଳରେ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା ପାଇଁ ଏକ ସମନ୍ୱିତ ରାଜ୍ୟସ୍ତରୀୟ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସ୍ୱତନ୍ତ୍ର ସଚିବ ତଥା ରାଜ୍ୟ ମିଶନ ନିର୍ଦ୍ଦେଶକ,ଏସ୍ ବି ଏମ୍ ଶ୍ରୀ ବିନୟ କୁମାର ଦାଶ ଅଭିଯାନର ପାଞ୍ଚଟି ମୁଖ୍ୟ ସ୍ତମ୍ଭକୁ ଆଧାର କରି ରାଜ୍ୟର ବିସ୍ତୃତ କାର୍ଯ୍ୟାନ୍ୱୟନ କୌଶଳ ଓ ପ୍ରସ୍ତୁତି ସମ୍ପର୍କରେ ଉପସ୍ଥାପନା କରିଥିଲେ ।

ଅଭିଯାନର ଅଂଶ ଭାବେ ସ୍ୱଚ୍ଛତା ଲକ୍ଷ୍ୟ ଏକକ ଏବଂ ଆବର୍ଜନା ପ୍ରବଣ ସ୍ଥାନଗୁଡ଼ିକର ଚିହ୍ନଟ, ସଫେଇ ଓ ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯିବ। ଏଥିସହ ସ୍ୱଚ୍ଛତା ଜ୍ଞାନ ଯାତ୍ରା, ସଚେତନତା ଓ ସମ୍ବାଦ ମାଧ୍ୟମରେ ଯୁବପିଢ଼ିଙ୍କୁ ଅଧିକ ସଂପୃକ୍ତ କରାଯିବ। ,ସଫେଇ ମିତ୍ରଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ସ୍ୱତନ୍ତ୍ର ଶିବିର ଆୟୋଜନ ସହ ସେମାନଙ୍କ ମର୍ଯ୍ୟାଦା ଓ ସୁରକ୍ଷିତ କାର୍ଯ୍ୟପରିବେଶ ସୁନିଶ୍ଚିତ କରାଯିବ। ଏହା ସହିତ ବ୍ୟାପକ ଜନଭାଗିଦାରୀ ମାଧ୍ୟମରେ ନାଗରିକମାନଙ୍କୁ ସ୍ୱଚ୍ଛତା ଅଭିଯାନର ସକ୍ରିୟ ସହଭାଗୀ କରାଯିବ ।

‘ସ୍ୱଚ୍ଛତା ସେ ସମୃଦ୍ଧି’ର ଲକ୍ଷ୍ୟ ଅନୁଯାୟୀ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବା, ପୁନଃବ୍ୟବହାର ଓ ପୁନଃଚକ୍ରଣକୁ ପ୍ରୋତ୍ସାହନ ଦେବା ସହ ବୃତାକାର ଅର୍ଥନୀତିକୁ ଆଗେଇ ନେବା ଉପରେ ମଧ୍ୟ ଅଭିଯାନରେ ବିଶେଷ ଗୁରୁତ୍ୱ ରହିବ । ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ସ୍ୱଚ୍ଛତାକୁ କେବଳ ଏକ ଅଭିଯାନ ଭାବେ ନୁହେଁ, ବରଂ ଦୀର୍ଘମିଆଦୀ ନାଗରିକ ଅଭ୍ୟାସ ଓ ସ୍ଥାୟୀ ସହରାଞ୍ଚଳ ବିକାଶର ଅଂଶ ଭାବେ ଗଢ଼ି ତୋଳିବା ଉପରେ ଗୁରୁତ୍ୱ ଦିଆଯିବ ।

ବୈଠକରେ ସମସ୍ତ ୟୁ ଏଲ୍ ବି ମଧ୍ୟରେ ଉତମ ସମନ୍ୱୟ, ସକ୍ରିୟ ନାଗରିକ ସହଭାଗିତା ଏବଂ ଦୃଢ଼ ସମୁଦାୟ ମାଲିକାନା ମାଧ୍ୟମରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନକୁ ଦୃଶ୍ୟମାନ ଓ ସ୍ଥାୟୀ ପରିଣାମରେ ପରିଣତ କରିବା ଉପରେ ଆଲୋକପାତ କରାଯାଇଥିଲା । ଦାୟିତ୍ୱପୂର୍ଣ୍ଣ ବର୍ଜ୍ୟବସ୍ତୁ ପରିଚାଳନା, ପରିଷ୍କାର ଓ ସୁସ୍ଥ ସହରାଞ୍ଚଳ ପରିବେଶ ସୃଷ୍ଟି ସହିତ ସଫେଇ ମିତ୍ର ଓ ସଫେଇ କର୍ମଚାରୀଙ୍କ ସୁରକ୍ଷା, କଲ୍ୟାଣ ଓ ମର୍ଯ୍ୟାଦା ସୁନିଶ୍ଚିତ କରିବାକୁ ମଧ୍ୟ ପ୍ରାଥମିକତା ଦିଆଯାଇଥିଲା ।

ବୈଠକରେ ଅତିରିକ୍ତ ସଚିବ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ଶ୍ରୀ ସୋରେନ୍ଦ୍ର ରାଉତରାୟ, ଯୁଗ୍ମ ସଚିବ ଶ୍ରୀମତୀ ମମତା ରାନୀ ନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ । ସେମାନେ ଅଭିଯାନର କାର୍ଯ୍ୟାନ୍ୱୟନ ରୋଡ୍ମ୍ୟାପ୍, ୟୁ ଏଲ୍ ବି ଗୁଡ଼ିକର ପ୍ରସ୍ତୁତି ଏବଂ ବିଭିନ୍ନ ପଦକ୍ଷେପର ସମୟବଦ୍ଧ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରିଥିଲେ ।

ରାଜ୍ୟସ୍ତରୀୟ କୌଶଳ ଓ କାର୍ଯ୍ୟାନ୍ୱୟନ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଥିବାରୁ, ଓଡ଼ିଶାର ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ଏବେ ‘ସ୍ୱଚ୍ଛତା ହିଁ ସେବା ୨୦୨୬’କୁ ଏକ ସମନ୍ୱିତ, ନାଗରିକ-କୈନ୍ଦ୍ରିକ ଓ ଫଳାଫଳ-ଭିତିକ ଅଭିଯାନ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ମାଧ୍ୟମରେ ସ୍ୱଚ୍ଛତା ପ୍ରତି ନାଗରିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିବା ସହ ଓଡ଼ିଶାର ସହରଗୁଡ଼ିକରେ ଏକ ସ୍ୱଚ୍ଛ, ସୁସ୍ଥ ଓ ସ୍ଥାୟୀ ଜୀବନଯାପନ ପରିବେଶ ଗଢ଼ି ତୋଳିବା ଲକ୍ଷ୍ୟ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande