

ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ଏସ୍ଟି ଓ ଏସ୍ସି ବିଭାଗର ଦୁଇ ଅଡିଟରଙ୍କ ଠାରୁ ୧୪
ଲକ୍ଷରୁ ଅଧିକ ଟଙ୍କାର ସନ୍ଦେହଜନକ ବେଆଇନ ଭାବେ ଉପାର୍ଜିତ ନଗଦ ଟଙ୍କା ଜବତ କରିଛି ଓଡ଼ିଶା
ଭିଜିଲାନ୍ସ ।
ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିବା ପରେ ଗତକାଲି ୧୦.୦୯.୨୦୨୬ ତାରିଖ
ବିଳମ୍ବିତ ରାତିରେ, ଓଡ଼ିଶା ସରକାରଙ୍କ ଏସ୍ଟି/ଏସ୍ସି ବିଭାଗର ଦୁଇଜଣ
ଅଡିଟର ଅଡିଟ୍ କାର୍ଯ୍ୟ ଶେଷ କରି ଡିଡବ୍ଲ୍ୟୁଓ କାର୍ଯ୍ୟାଳୟ, ବାରିପଦାରୁ ରକ୍ସି
ଲେନ୍ସ୍ଥିତ ମହାପାତ୍ର ହୋଟେଲରେ ଥିବା ସେମାନଙ୍କ ରହଣିସ୍ଥଳକୁ ଡିଡବ୍ଲ୍ୟୁଓଙ୍କ କାର୍ଯ୍ୟାଳୟୀନ
ସ୍କର୍ପିଓ ଯୋଗେ ଯାଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଟିମ୍ ସେମାନଙ୍କୁ ଅଟକାଇଥିଲା।
ତଲାସୀ ବେଳେ ସେମାନଙ୍କ ନିକଟରୁ ୫୨ଟି ଲଫାପା ଏବଂ ୨୦ଟି ଖୋଲା
ବଣ୍ଡଲରେ ଥିବା ମୋଟ ୫ ଲକ୍ଷ ୫୧,୫୧୦ ଟଙ୍କାର ସନ୍ଦେହଜନକ ବେଆଇନ ଭାବେ ଉପାର୍ଜିତ ନଗଦ
ଟଙ୍କା ମିଳିଥିଲା। ଏହି ଟଙ୍କାର ଉତ୍ସ ସମ୍ପର୍କରେ ସେମାନେ ସନ୍ତୋଷଜନକ ଭାବେ କୌଣସି
ସ୍ପଷ୍ଟୀକରଣ ଦେଇପାରିନଥିଲେ।
ଏହାପରେ ସେମାନଙ୍କ ହୋଟେଲ ରୁମ୍ରେ ତଲାସୀ କରାଯାଇଥିଲା। ତଲାସୀ
ସମୟରେ ଆହୁରି ୮ ଲକ୍ଷ ୮୬,୮୩୦ ଟଙ୍କା ନଗଦ ମିଳିଥିଲା ଏବଂ ଜବତ କରାଯାଇଥିଲା। ଏତେ ବିପୁଳ
ପରିମାଣର ନଗଦ ଟଙ୍କାର ହିସାବ ସେମାନେ ଦେଇପାରିନଥିବାରୁ ମୋଟ ୧୪ ଲକ୍ଷ ୩୮,୩୪୦ ଟଙ୍କା ଜବତ
କରାଯାଇଛି।
ଏହି ଟଙ୍କାର ଉତ୍ସ ସମ୍ପର୍କରେ ଜାଣିବା ପାଇଁ ଉଭୟ ଅଡିଟରଙ୍କୁ
ପଚରାଉଚରା କରାଯାଉଛି। ଅଟକ ପରେ, ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବାଦିଗରୁ ସେମାନଙ୍କ
ସହ ସମ୍ପର୍କିତ ବିଭିନ୍ନ ସ୍ଥାନରେ ତଲାସୀ ଆରମ୍ଭ କରାଯାଇଛି।
ଏହି ଦୁଇ ଅଡିଟର ୩୦ ଅଗଷ୍ଟ ୨୦୨୬ ଠାରୁ ବାରିପଦାରେ ରହି ଡିଡବ୍ଲ୍ୟୁଓ
କାର୍ଯ୍ୟାଳୟର ଅଡିଟ୍ କରୁଥିଲେ। ଏହାପରେ ସେମାନେ ଏସ୍ସି/ଏସ୍ଟି ବିଭାଗ ଅଧୀନରେ ଥିବା ଆଶ୍ରମ, ସେବାଶ୍ରମ, ହାଇସ୍କୁଲ, ଉଚ୍ଚ ମାଧ୍ୟମିକ
ବିଦ୍ୟାଳୟ ଏବଂ ଏସ୍ଏସ୍ଡି ହଷ୍ଟେଲଗୁଡ଼ିକର ଅଡିଟ୍ ଆରମ୍ଭ କରିଥିଲେ।
ସେମାନେ ବିଭିନ୍ନ ବିଦ୍ୟାଳୟ ଓ ହଷ୍ଟେଲର ପ୍ରଧାନଶିକ୍ଷକ ଏବଂ
ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ବିଦ୍ୟାଳୟ/ହଷ୍ଟେଲର ଫାଇଲ୍ ଓ ରେଜିଷ୍ଟର ସହ ବାରିପଦାରେ
ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇଥିଲେ।
ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମିଳିଥିଲା ଯେ, ବିଦ୍ୟାଳୟଗୁଡ଼ିକର
ଅଡିଟ୍ ସୁଚାରୁ ଭାବେ କରିବା ପାଇଁ ଅଡିଟରମାନେ ପ୍ରତି ନାମଲେଖା ଛାତ୍ରଛାତ୍ରୀଙ୍କ ପିଛା *୧୦
ଟଙ୍କା ହିସାବରେ ଲାଞ୍ଚ ଦାବି କରୁଥିଲେ। ଅଭିଯୋଗର ସତ୍ୟତା ନିଶ୍ଚିତ ହେବା ପରେ ଭିଜିଲାନ୍ସ
ଟିମ୍ ସେମାନଙ୍କୁ ଅଟକାଇଥିଲା। ଘଟଣା ସମ୍ପର୍କିତ ତଲାସୀ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା