
ଭୁବନେଶ୍ୱର ,୧୧ ସେପ୍ଟେମ୍ବର(ହି.ସ.) -ଏମ୍ସ ଭୁବନେଶ୍ୱରରେ ନିଯୁକ୍ତି ନାଁରେ ବ୍ୟାପକ ଲାଂଚ କାରବାର ହୋଇଥିବା ଅଭିଯୋଗ କରିଛି ପ୍ରଦେଶ ଯୁବ କଂଗ୍ରେସ। ଏନେଇ ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଓ ପିସିସି ସାଧାରଣ ସମ୍ପାଦକ ୟାସିର ନୱାଜ ଅଭିଯୋଗ କରିଛନ୍ତି ଯେ ବମ୍ବେ ଇଂଟିଗ୍ରେଟେଡ୍ ସିକ୍ୟୁରିଟି ଲିମିଟେଡ୍ (ବିଆଇଏସ୍) ଏମ୍ସରୁ ଟେଣ୍ଡର ପାଇ ହାଉସ୍ କିପିଙ୍ଗ ଓ ହସ୍ପିଟାଲ ଆଟେଣ୍ଡାଂଟ ନିଯୁକ୍ତି କରୁଛି। ନିଯୁକ୍ତି ପ୍ରକ୍ରିୟାରେ ଇଂଟରଭ୍ୟୁ କିମ୍ବା ଆବଶ୍ୟକ ଦସ୍ତାବିଜ ଯାଂଚ ନକରି ପ୍ରାର୍ଥୀଙ୍କଠାରୁ ଲକ୍ଷାଧିକ ଟଙ୍କା ନିଆଯାଇଥିବା ଦାବି କରାଯାଇଛି। ନିକଟରେ ୭୦ ଜଣ ହସ୍ପିଟାଲ ଆଟେଣ୍ଡାଂଟଙ୍କ ନିଯୁକ୍ତିରେ ଜଣକା ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଏବଂ ହାଉସ୍ କିପିଙ୍ଗ କର୍ମଚାରୀଙ୍କଠାରୁ ପ୍ରାୟ ୨ ଲକ୍ଷ ଟଙ୍କା ନିଆଯାଇଥିବା ଅଭିଯୋଗ ହୋଇଛି।
ଏହି ଘଟଣାରେ ଏମ୍ସର କିଛି ଅଧିକାରୀଙ୍କ ଭୂମିକା ମଧ୍ୟ ସନ୍ଦେହଜନକ ବୋଲି ଯୁବ କଂଗ୍ରେସ କହିଛି। ନିଯୁକ୍ତିରେ ଜାଲ ପ୍ରମାଣପତ୍ର ବ୍ୟବହାର ଅଭିଯୋଗ ଉଠାଇ ୨୦୨୫ରେ ସିବିଆଇ ଗିରଫଦାରୀର ଉଦାହରଣ ଦିଆଯାଇଛି।
ଅଭିଯୋଗର ତୁରନ୍ତ ତଦନ୍ତ କରି ୭ ଦିନ ମଧ୍ୟରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଯୁବ କଂଗ୍ରେସ ଚେତାବନୀ ଦେଇଛି। ସାମ୍ବାଦିକ ସମ୍ମିଳନୀରେ ସୁଦୀପ ସାମଲ ଓ ଜାଭେଦ୍ ଅକ୍ତାର ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା