

ନୂଆଦିଲ୍ଲୀ, ୧୨ ସେପ୍ଟେମ୍ବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନୂଆଦିଲ୍ଲୀରେ ଚୀନ୍ର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଭାରତ ମଣ୍ଡପମ୍ରେ ଆୟୋଜିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୬ ଅବସରରେ ଏହି ବୈଠକ ଅନୁଷ୍ଠିତ ହୋଇଛି।
ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ସ୍ୱାଗତ କରିଥିଲେ। ଆଲୋଚନା ସମୟରେ ସେ ଭାରତର ବ୍ରିକ୍ସ ଅଧ୍ୟକ୍ଷତା ସମୟରେ ଚୀନ୍ର ସମର୍ଥନ ଓ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିବା ସହ ଦୁଇ ଦେଶ ମଧ୍ୟରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କର ଗୁରୁତ୍ୱକୁ ଦୋହରାଇଥିଲେ।
ମୋଦୀ କହିଥିଲେ, “ଭାରତର ବ୍ରିକ୍ସ ଅଧ୍ୟକ୍ଷତା ସମୟରେ ଚୀନ୍ ପକ୍ଷରୁ ମିଳିଥିବା ସମର୍ଥନ ଓ ସହଯୋଗ ପାଇଁ ମୁଁ କୃତଜ୍ଞ। ଏବେ ଆମ ପାଖରେ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା କରିବାର ସୁଯୋଗ ରହିଛି। ପୁଣିଥରେ ଆପଣଙ୍କୁ ଭାରତରେ ହାର୍ଦ୍ଦିକ ସ୍ୱାଗତ।”
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତ ମଣ୍ଡପମ୍ରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର କିଛି ଫଟୋ ସେୟାର କରିଥିଲେ। ଏଥିରେ ସେ ଚୀନ୍ର ରାଷ୍ଟ୍ରପତି ଶି ଜିନପିଙ୍ଗ ଓ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ହାତ ଧରିଥିବା ଦେଖାଯାଇଛି। ବ୍ରିକ୍ସ ଶିଖର ସମ୍ମିଳନୀ ମଞ୍ଚରୁ ମୋଦୀ, ପୁଟିନ ଓ ଜିନପିଙ୍ଗଙ୍କ ଏହି ଫଟୋ ବିଶ୍ୱକୁ ଏକ ଦୃଢ଼ ବାର୍ତ୍ତା ଦେଇଛି।
--------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ