
ନୂଆଦିଲ୍ଲୀ, ୧୨ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ତମ ବ୍ରିକ୍ସ୍ ଶିଖର ସମ୍ମିଳନୀ ଅବସରରେ ଭିଏତନାମ ପ୍ରଧାନମନ୍ତ୍ରୀ ଲେ ମିନ୍ ହଙ୍ଗ୍ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଦୁଇ ନେତା ଭାରତ-ଭିଏତନାମ ସମ୍ପର୍କ ଏବଂ ବିଭିନ୍ନ ଆଂଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ୍ ଶିଖର ସମ୍ମିଳନୀରେ ଏକ ଅଂଶୀଦାର ଦେଶ ଭାବେ ଭିଏତନାମର ଅଂଶଗ୍ରହଣକୁ ସ୍ୱାଗତ କରିଥିଲେ । ଚଳିତ ବର୍ଷ ମେ ମାସରେ ଭିଏତନାମ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଏବଂ ରାଷ୍ଟ୍ରପତି ଟୁ ଲାମ୍ଙ୍କ ଭାରତ ଗସ୍ତ ସମୟରେ ଦୁଇ ଦେଶର ସମ୍ପର୍କକୁ ଉନ୍ନତ ବ୍ୟାପକ ରଣନୈତିକ ଭାଗିଦାରୀ' ଭାବେ ଘୋଷଣା କରାଯିବା ପରଠାରୁ ହୋଇଥିବା ଅଗ୍ରଗତିର ଦୁଇ ନେତା ସମୀକ୍ଷା କରିଥିଲେ । ଉଭୟ ପକ୍ଷ ଆଂଚଳିକ ଏବଂ ବୈଶ୍ୱିକ ଗୁରୁତ୍ୱ ବହନ କରୁଥିବା ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ ଏବଂ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
ସହଭାଗୀ ସାଂସ୍କୃତିକ ଐତିହ୍ୟ, ପାରସ୍ପରିକ ବିଶ୍ୱାସ ଏବଂ ବୁଝାମଣା ଆଧାରରେ ଭାରତ ଏବଂ ଭିଏତନାମ ମଧ୍ୟରେ ଦୀର୍ଘକାଳୀନ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି । ଭିଏତନାମ ହେଉଛି ଭାରତର ଆକ୍ଟ ଇଷ୍ଟ 'ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଭାରତର ଏକ ପ୍ରମୁଖ ଅଂଶୀଦାର ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ